କୁନି ଝିଅର ଖୁଚୁରା ଚିନ୍ତା ! ଏଟିିଏମ୍ ଆଗରେ ଭିଡ ଦେଖି ବଦଳିଗଲା ପୂଜାର ମନ

70

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସର୍ଜିକାଲ୍ ଷ୍ଟ୍ରାଇକ୍ କି ନୋଟ୍ ବ୍ୟାନ୍ । ଚର୍ଚ୍ଚା କଲା ଭଳି ପ୍ରସଙ୍ଗ ଆସିଲେ ଆମେ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହୁଁ । ଗଣମାଧ୍ୟମରେ ଛାଇଯାଏ ସେମାନଙ୍କ ମତ ମନ୍ତବ୍ୟ । ଏବେ ମୋଦିଙ୍କ ନୋଟ୍ ବ୍ୟାନକୁ ନେଇ ସବୁଠି ଚର୍ଚ୍ଚା । ଏଭଳି ଏକ ଐତିହାସିକ ପଦକ୍ଷେପକୁ ନେଇ ମଧ୍ୟ ମତ ମନ୍ତବ୍ୟର ଯୁଦ୍ଧ ଚାଲିଛି । ପ୍ରତିଦିନ ଟିଭିରେ କିଏ ନା କିଏ ନିଜ ପ୍ରତିକ୍ରିୟା ରଖୁଛନ୍ତି । ଲୋକଙ୍କ ହିନସ୍ତା ଏବେ ଗଣମାଧ୍ୟମରେ ମୁଖ୍ୟଖବର ପାଲଟିଛି । ହେଲେ ଏ ଏମିତି ଜଣେ ପିଲାର କାହାଣୀ , ଯିଏ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେଲିବ୍ରିଟି ନହୋଇ ବି କ୍ୟାମେରା ଫ୍ରେମକୁ ଆସିଛନ୍ତି ।

ନୋଟ୍ ଅଚଳ ହୋଇଯିବା ପରେ ଖୁଚୁରା ଟଙ୍କା ପାଇଁ ଏଟିଏମରେ ଲମ୍ବା ଲାଇନ୍ । ସତେ ଯେମିତି ଖୁଚୁରା ନପାଇଲେ ଆଜି ହିଁ ଠପ୍ ହୋଇଯିବ ଏମାନଙ୍କ ଜୀବନଜିବିକା । ଗଲା ସପ୍ତାହେ ହେଲା ଏସବୁ ଖବର ଟିଭି ପରଦାରେ ଦେଖି ଦେଖି ବ୍ୟସ୍ତ ହୋଇପଡିଥିଲେ ପୂଜା । ଭୁବନେଶ୍ୱରର ଏହି ଝିଅଟିର ହୁଏତ ବୟସ ଖୁବ୍ କମ୍ । ହେଲେ ଖୁଚୁରା ସମସ୍ୟାର ସମାଧାନ ପାଇଁ ସେ ଚିନ୍ତାଶୀଳ । ତେଣୁ ଖୋଲି ଦେଇଥିଲେ ନିଜ ସଂଚିତ ଟଙ୍କାର ପେଡି । ଯେଉଁଥିରୁ ବାହାରିଥିଲା ୩ ୮୦୦ଟଙ୍କା ।

ଏହି ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍ କରିଥିଲେ । ମନେ ମନେ ଭାବିଥିଲେ ହୁଏତ ଏ ଖୁଚୁରା ଟଙ୍କା ବ୍ୟାଙ୍କ୍ ଓ ଗ୍ରାହକଙ୍କ ସମସ୍ୟାକୁ କିଛିମାତ୍ରାରେ ଦୂର କରି ଦେବ । ପୁଜାର ଏହି ଚିନ୍ତାଧାରାକୁ ଖୁବ୍ ପ୍ରଶଂସା କରିଛନ୍ତି ବ୍ୟାଙ୍କ୍ କର୍ତ୍ତୃପକ୍ଷ ।

ପୂଜାର ଏ ପ୍ରୟାସ ହୁଏତ ଏକ ସଂକେତ ମାତ୍ର । ହେଲେ ନୋଟ୍ ବ୍ୟାନକୁ ନେଇ ବ୍ୟସ୍ତ ହୋଇ ପଡୁଥିବା ଲୋକଙ୍କୁ ଏହା ନିଶ୍ଚୟ କିଛି ଶିକ୍ଷା ଦେବ ।