ମାତ୍ର ୫୯ ମିନିଟରେ ମିଳିବ ଏକ କୋଟି ପର୍ଯ୍ୟନ୍ତ ଋଣ, ଲାଭରେ ରହିବେ ଛୋଟ ଓ ମଧ୍ୟମ ଧରଣର ଉଦ୍ୟୋଗୀ ! ୱେବସାଇଟ୍ ଲଂଚ କଲେ ଅରୁଣ ଜେଟଲୀ

86

ଛୋଟ ଓ ମଧ୍ୟମ ଧରଣ ଉଦ୍ୟୋଗୀମାନଙ୍କୁ ଆଉ ଟଙ୍କା ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ବାରମ୍ବାର ବ୍ୟାଙ୍କ ମଧ୍ୟ ଦଉଡ଼ିବା ପାଇଁ ପଡ଼ିବ ନାହିଁ । ସେମାନଙ୍କ ହିତ ପାଇଁ ସରକାର ଡିଜିଟାଲ ଲିଡ଼ିଙ୍ଗ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଯେଉଁଠି ଆବେଦନ କଲେ ଛୋଟ ଓ ମଧ୍ୟମ ଧରଣର ଉଦ୍ୟୋଗୀଙ୍କୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ, ମାତ୍ର ୫୯ ମିନଟରେ ମଞ୍ଜୁର ହୋଇଯିବ । ନିଜ ଅଫିସରେ ବସି କିଛି ତଥ୍ୟ ଦେଲେ ହିଁ ବ୍ୟାଙ୍କରୁ ଋଣ ମଞ୍ଜୁର ହୋଇଯିବ । ଋଣ ରାଶି ୭ରୁ୮ କାର୍ଯ୍ୟ ଦିବସ ଭିତରେ ଆବେଦନକର୍ତ୍ତାଙ୍କ ଖାତାରେ ଜମା ହୋଇଯିବ । ତେବେ ଋଣ ମଞ୍ଜୁର ହେବାପାଇଁ ପାଖାପାଖି ୨୦-୨୫ ଦିନ ସମୟ ଲାଗିବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଙ୍ଗଳବାର ଦିନ ଏପରି ପ୍ଲାଟଫର୍ମର ଲଂଚ କରିଛନ୍ତି । ‘ପିଏସବିଲୋନ୍ସଇନ୫୯ମିନିଟସଡଟକମ’ ନାମରେ ପ୍ଲାଟଫର୍ମ ଲଂଚ ହୋଇଛିି । ‘ପିଏସବିଲୋନ୍ସଇନ୫୯ମିନିଟସଡଟକମ’ ର ପ୍ଲାଟଫର୍ମ ସିବିଡ଼ି ଓ ପାଂଚ ସରକାରୀ ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ଇଣ୍ଡିଆନ୍ ବ୍ୟାଙ୍କ ଓ ବିଜୟ ବ୍ୟାଙ୍କ ମିଳିତ ଭାବେ ତିଆରି କରିଛନ୍ତି ।

ଏମଏସଏମଇ ବ୍ୟବସାୟୀ, ଟର୍ମ ଲୋନ ତଥା ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହି ପ୍ଲାଟଫର୍ମରେ ଆବେଦନ କରିପାରିବେ । ଏକ କୋଟି ପର୍ଯ୍ୟନ୍ତ ଋଣ ମାତ୍ର ୫୯ ମିନିଟରେ ମଞ୍ଜୁର ହୋଇଯିବ । ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କୁ ଋଣ ନେବା ପାଇଁ ୩ ପ୍ରକାର ସୂଚନା ଦେବାପାଇଁ ପଡ଼ିବ । ପ୍ରଥମେ ଜିଏସଟିଆଇଏନ୍ ଓ ଜିଏସଟି ୟୁଜର ଆଇଡ଼ି ଓ ପାସୱର୍ଡ଼ ଦେବାକୁ ପଡ଼ିବ । ଅନ୍ୟପଟେ ବ୍ୟବସାୟୀଙ୍କୁ ଆୟକର ରିଟର୍ଣ୍ଣ ଚିଠା ଓ ବ୍ୟାଙ୍କ୍ ଖାତା ଷ୍ଟେଟମେଂଟ ଅପଲୋଡ଼୍ କରିବା ପାଇଁ ନେଟ ବ୍ୟାଙ୍କିଂ ବ୍ୟବହାର କରିବା ପାଇଁ ପଡ଼ିବ । ଆଉ ତା’ପରେ ଆବେଦନକର୍ତ୍ତାଙ୍କ ସମସ୍ତ ତଥ୍ୟ ଅନଲାଇନ୍ ପରୀକ୍ଷଣ ପରେ ୫୯ ମିନିଟ ମଧ୍ୟରେ ହିଁ ଋଣ ମଞ୍ଜୁର ହୋଇଯିବ ।