କଳିଯୁଗର ଲକ୍ଷ୍ମଣ ! ସାନଭାଇ ମୁଣ୍ଡରେ ବଡଭାଇର ବୋଝ

30

କନକ ବ୍ୟୁରୋ : କଥାରେ ଅଛି ଯେତେ ଭାଇ ସେତେ ଘର । କିନ୍ତୁ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଜୟପୁର ମାଳିଦଳେଇପୁଟର ଦୁଇ ଭାଇ । ବଡ ଭାଇ ଦିବ୍ୟାଂଗ ହୋଇଥିବାବେଳେ ସାନଭାଇ ବଡ ଭାଇର ବୋଝକୁ ନିଜେ ମୁଣ୍ଡାଇ କୁଲିମଜୁରୀ କରି ଆହାର ଯୋଗାଉଛି । ରାମାୟଣରେ ବଡ ଭାଇ ରାମଙ୍କ ପାଇଁ ସାନଭାଇ ଲକ୍ଷ୍ମଣ ନିଜକୁ ସମର୍ପିତ କରିଥିବାବେଳେ ଏବେ ଏପରି ଘଟଣା ଘଟିବା ବିରଳ ।

ଗୋଡରେ ବନ୍ଧା ହୋଇଛି ଦଉଡି । ଦୀର୍ଘ ୫ ବର୍ଷ ହେଲା ଘର ଆଗରେ ଏଭଳି ଜୀବନ କାଟୁଛନ୍ତି ସନିଆ । ମାନସିକ ଅବସ୍ଥା ଠିକ ନଥିବାବେଳେ ପାଦରୁ ଦଉଡି ଖୋଲିଦେବାମାତ୍ରେ କୁଆଡେ ଚାଲିଯାଉଛନ୍ତି । ସେଥିପାଇଁ ନିଜ ହୃଦୟକୁ ପଥର କରି ସାନଭାଇ ରଘୁ, ଭାଇକୁ ଖୁଂଟରେ ବାନ୍ଧି ରଖିବାକୁ ବାଧ୍ୟ ହେଉଛି । ପିଲାଟି ଦିନରୁ ବାପା-ମାଙ୍କୁ ହରାଇଥିବା ସନିଆଙ୍କ ପାଇଁ ଏବେ ସବୁକିଛି ପାଲଟିଛନ୍ତି ରଘୁ ।

ଆଦିବାସୀ ସମାଜରେ ରୋଜଗାରକ୍ଷମ ହୋଇଗଲେ ଭାଇ ଭାଇ ଅଲଗା ହୋଇଯାଆନ୍ତି । କିନ୍ତୁ ଦୁଇ ଭାଇ ଅପାଠୁଆ ହେଲେ ବି ସଂପର୍କର ଡୋରିକୁ ଛିଡାଇ ପାରିନାହାଁନ୍ତି ସାନଭାଇ । ବଡ କଥା ହେଉଛି ସରକାରୀ ସହାୟତାକୁ କେବେ ବି ଚାହିଁନାହାଁନ୍ତି ରଘୁ । ବରଂ ବଡ ଭାଇର ଚିକିତ୍ସା ପାଇଁ କୁଲି ମଜୁରୀରୁ ମିଳୁଥିବା ସବୁକିଛିକୁ ଖର୍ଚ୍ଚ କରିଥାନ୍ତି । ଆଜିର ସମାଜରେ ସଂପର୍କକୁ ବାନ୍ଧିରଖିବା କାଠିକର ପାଠ ହୋଇଥିବାବେଳେ ଏବେ ଦୁଇଭାଇ ନିବିଡ ସଂପର୍କର ଉଦାହରଣ ପାଲଟିଯାଇଛନ୍ତି ।