କଅଁଳା ଶିଶୁର ଅସ୍ୱଭାବିକ ଭାବେ ବଢୁଛି ମୁଣ୍ଡ : ଏମ୍ସ ଡାକ୍ତରଙ୍କୁ ଚ୍ୟାଲେଞ୍ଜ୍

64

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଅଁଳା ଶିଶୁର ଅସ୍ୱଭାବିକ ଭାବେ ବଢୁଛି ମୁଣ୍ଡ । ଶରୀର ତୁଳନାରେ ମୁଣ୍ଡର ଆକାର ଖୁବବଡ । ମାଆ ପେଟରୁ ହାଇଡ୍ରୋ କେଫାଲସ ରୋଗ ନେଇ ଆସିଛି ଶିଶୁଟି । ଆଉ ଅସ୍ତ୍ରୋପଚାର କରି ଏହି ବିରଳ ରୋଗକୁ ଭଲ କରିବା ଏବେ ଏମ୍ସ ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ମୁଣ୍ଡରେ ଜମିଥିବା ୩୦୦ ମିଲିଗ୍ରାମ ପାଣିକୁ ଡ୍ରେନ କରାଯାଇଛି । ପୁଣି କେତୋଟି ପର୍ଯ୍ୟାୟରେ ଜମିରହିଥିବା ସେରେବ୍ରୋସ ସ୍ପାଇନାଲ ଫ୍ଲୁଇଡ ବାହାର କରାଯିବା ପରେ, ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ ବୋଲି ଆଶା ରଖିଛନ୍ତି ଡାକ୍ତର ।

ରାଜ୍ୟରେ ଏଭଳି ରୋଗ ବିରଳ । ସାଧାରଣ ଭାଷାରେ କହିଲେ, ପାଣି ଜମିବା କାରଣରୁ ଏଭଳି ଅବିଶ୍ୱସନୀୟ ଭାବେ ବଢିଛି ମୁଣ୍ଡର ଆକାର । ତେଣୁ ଅସ୍ତ୍ରୋପଚାର କରି କଅଁଳ ଶିଶୁଟିର ମୁଣ୍ଡରୁ ପାଣି ବାହାର କରାଯିବ । ଏବେ ଜାଣନ୍ତୁ କଣ ଏହି ହାଇଡ୍ରୋ କେଫାଲସ ରୋଗ ।

ହାଇଡ୍ରୋ କେଫାଲସ ରୋଗ କ’ଣ?

ମୁଣ୍ଡରେ ଥିବା ସେରେବ୍ରୋସ ସ୍ପାଇନାଲ ଫ୍ଲୁଇଡ-ସିଏସଏଫ ବିଭିନ୍ନ ରାସ୍ତା ଦେଇ ମସ୍ତିସ୍କ ଓ ସ୍ପାଇନାଲ କଡକୁ ପ୍ରବାହିତ ହୋଇଥାଏ । ଏହି ରାସ୍ତାରେ କେଉଁଠି କିଛି ପ୍ରତିବନ୍ଧକ ଥିଲେ ଫ୍ଲୁଇଡ ପ୍ରବାହିତ ହୋଇପାରେ ନାହିଁ । ତେଣୁ ମୁଣ୍ଡରେ ଏହି ପାଣି ଜମେ । ପିଲାମାନଙ୍କ ମୁଣ୍ଡର ହାଡ ମଜଭୂତ ହୋଇନଥାଏ । ପାଣି ଜମିଲେ ହାଡ ଖୋଲିଯାଏ ଓ ମୁଣ୍ଡର ଆକାର ବଡ ହୋଇଯାଏ । ହାଇଡ୍ରୋ ଅର୍ଥାତ ପାଣି ଏବଂ କେଫାଲସ ଅର୍ଥାତ ମୁଣ୍ଡ । ତେଣୁ ଏହାକୁ ହାଇଡ୍ରୋ କେଫାଲସ ରୋଗ ବୋଲି କୁହାଯାଏ ।

ଶିଶୁଟିର ମୁଣ୍ଡର ବ୍ୟାସାର୍ଦ୍ଧ ଏବେ ପ୍ରାୟ ୯୬ ସେଂଟିମିଟର । ଏତେମାତ୍ରାରେ ପାଣି ଜମିଥିବାରୁ ହଠାତ ଅସ୍ତ୍ରୋପଚାର କରିବା ସମ୍ଭବ ନୁହେଁ । ଏଥିପାଇଁ ଶିଶୁଟିକୁ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଭୁବନେଶ୍ୱର ଏମ୍ସର ବିଶେଷଜ୍ଞ ଡାକ୍ତର । ପର୍ଯ୍ୟାୟକ୍ରମେ ଏକାଧିକ ସର୍ଜରୀ କରି ମୁଣ୍ଡରେ ଜମିଥିବା ପାଣିକୁ ଡ୍ରେନ କରାଯିବ । ଏକ ପାଇପ ସାହାଯ୍ୟରେ ମୁଣ୍ଡର ପାଣିକୁ ପେଟ ଭିତରକୁ ଛାଡି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

୫ରୁ ୧୦ ପ୍ରତିଶତ ଶିଶୁଙ୍କ ଭିତରେ ଏଭଳି ରୋଗ ଦେଖାଯାଏ । ପିିଲାମାନେ ସାଧାରଣତଃ ମାଆ ପେଟରୁ ଏହି ରୋଗ ନେଇ ଆସିଥାନ୍ତି ବୋଲି ଡାକ୍ତର କହିଛନ୍ତି । ଭୁବନେଶ୍ୱର ଏମ୍ସର ଶିଶୁରୋଗ ଓ ଅସ୍ଥଶଲ୍ୟ ବିଭାଗର ୭ଜଣ ବିଶେଷଜ୍ଞ ଡାକ୍ତର ଏହି ଶିଶୁଟିକୁ ସଂପୂର୍ଣ୍ଣ ଭଲ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।