ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ଘଟଣା ! ପୋଲିସ କହିଲା, ଚପଲ ମାରିଥିବା ବ୍ୟକ୍ତି ବିଜେପିର । ନରସିଂହ କହିଲେ, ଟଙ୍କା ଓ ବାହୁବଳର ସଂଘର୍ଷରେ ପରିଣତ ହୋଇଛି ବିକାଶର ଲଢେଇ

94

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ଉଦ୍ୟମ ଘଟଣା । ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗିଥିବା ବ୍ୟକ୍ତି ଜଣକ ବିଜେପି ସମର୍ଥକ ବୋଲି କହିଛି ବରଗଡ ପୋଲିସ । ବରଗଡ ଡିଏସପି କହିଛନ୍ତି, ତାଙ୍କ ନାଁ କାର୍ତ୍ତିକ ମେହେର ଓ ସେ ବୁଢାପାଲି, ପଦ୍ମପୁର ଅଂଚଳର । ଏପରିକି ତାଙ୍କ ପକେଟରୁ ବିଜେପି ପତାକା ମିଳିଥିବା ସେ ସୂଚନା ଦେଇଛନ୍ତି । ଏଥିସହ ପଚରା ଉଚରା ବେଳେ ସେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ସହ ବୁଢାପାଲି, ପଦ୍ମପୁରର ଦୁଇଜଣ କିଶୋର ବହିଦାର ଓ ଲୋକନାଥ ପଟେଲ ତାଙ୍କୁ ଶିଖାଇ ପଠାଇଥିଲେ ବୋଲି ପୋଲିସକୁ କହିଥିବା ଡିଏସପି ସୂଚନା ଦେଇଛନ୍ତି ।

naveen

ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଯୋତା ଫିଙ୍ଗିଥିବାରୁ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୦ ବି ଅର୍ଥାତ ଅପରାଧ ଷଡଯନ୍ତ୍ର ଓ ରିପ୍ରେଜେଂଟେସନ ଅଫ ପିପୁଲ୍ସ ଆକ୍ଟର ଧାରା ୧୨୭ ଲଗାଇଛି ପୋଲିସ । ଏଥିସହ ଧାରା ୪୪୮ ଅର୍ଥାତ ଯୋଜନାବଦ୍ଧ ଭାବେ ଆଘାତ ପହଂଚାଇବା, ୩୪୧ ଅର୍ଥାତ ବଳପୂର୍ବକ କାମରେ ବାଧାଦେବା, ୩୩୬- ଅନ୍ୟର ଜୀବନକୁ ବିପଦରେ ପକାଇବା ଓ ଧାରା ୩୫୫ ଅର୍ଥାତ ଅନ୍ୟକୁ ଅସମ୍ମାନ କରିବା ଆଦି ଦଫା ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ।

 

ଉଲ୍ଲେଖଥାଉ କି, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା । ଉପନିର୍ବାଚନ ପ୍ରଚାର ପାଇଁ ବିଜେପୁରରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କୁମ୍ଭାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଉଥିବା ବେଳେ ସଭା ଭିତରୁ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫୋପାଡିଥିଲେ । ଏପରିକି ଦୁଇ ଦୁଇଥର ଜୋତା ଫୋପାଡିଥିଲେ ଯୁବକ ଜଣକ । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ତାକୁ ଅଟକାଇଥିଲେ । ଏଥିସହ ଆକ୍ରମଣକାରୀ ଯୁବକଙ୍କୁ କାବୁ କରିନେଇଥିଲେ ସୁରକ୍ଷାକର୍ମୀ । ତେବେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନ ସୃଷ୍ଟି କରିଛି ।

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ହୋଇଥିଲା ଜୋତାମାଡ । ୨୦୧୬ ଏପ୍ରିଲରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଦ୍ୱିତୀୟଥର ଲାଗି ଅଡ-ଇଭିନ ଫର୍ମୁଲା ଲାଗୁ କରିବାକୁ ସାମ୍ବାଦିକ ସମ୍ମିଳନୀ କରୁଥିଲେ ଠିକ ସେତିକିବେଳେ ସାମ୍ନାରେ ବସିଥିବା ଲୋକଙ୍କ ମଧ୍ୟରୁ ଜଣେ ଯୁବକ ହଠାତ ତାଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଦେହରେ ଜୋତା ବାଜିନଥିଲା, କାରଣ ଜୋତାଟିକୁ ଧରି ଦେଇଥିଲେ କେଜ୍ରିୱାଲଙ୍କ ଜଣେ ସମର୍ଥକ । ଜୋତା ଫିଙ୍ଗିଥିବା ଯୁବକଙ୍କୁ ସଙ୍ଗେସଙ୍ଗେ କାବୁ କରିନେଇ ଥିଲେ ସେଠାରେ ଉପସ୍ତିତ ସୁରକ୍ଷା କର୍ମୀ । ପରେ ଜଣା ପଡିଥିଲା ସେହି ବ୍ୟକ୍ତି ଜଣକ ବେଦ ପ୍ରକାଶ ଏବଂ ସେ ଆମ ଆଦମୀ ସେନାର ଜଣେ ସଦସ୍ୟ । ସିଏନଜି ଷ୍ଟିକର ଆବଂଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଇ ନିଜର ପ୍ରତିବାଦ ପ୍ରଦର୍ଶନ କରିବାକୁ ସେ ଏଭଳି ଜୋତା ଫିଙ୍ଗିଥିବା କହିଥିଲେ । ବିଭିନ୍ନ ଫୋରମରେ ଦୁର୍ନୀତି ନେଇ ସେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ସେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ମଧ୍ୟ ସାଧାରଣ ସଭାରେ କାଳି ମାଡ କରିବା ଭଳି ଖବର ଚର୍ଚ୍ଚାରେ ରହିଥିଲା । ୨୦୧୬ ଜାନୁଆରୀରେ ପ୍ରଥମ ପର୍ଯ୍ୟାୟ ଅଡ-ଇଭିନ ଫର୍ମୁଲା ସଫଳ ହେବା ପରେ ଦିଲ୍ଲୀ ଛତ୍ରଶାଲ ଷ୍ଟାଡିଅମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ କେଜ୍ରିୱାଲ । ଏତିକିବେଳେ ଡାଏସ ନିକଟକୁ ଆସି ହଠାତ ଜଣେ ଯୁବତୀ ତାଙ୍କ ଉପରକୁ କାଳି ଫିଙ୍ଗିଥିଲେ । କେବଳ କାଳି ନୁହେଁ କିଛି କାଗଜପତ୍ର ଓ ସିଡି ମଧ୍ୟ ଫୋପାଡିଥିଲେ । ଆଉ ତାଙ୍କୁ ତିରନ୍ତ କାବୁ କରିନେଇଥିଲା ପୋଲିସ ।

ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାଣଙ୍କ ଉପରେ ହୋଇଥିଲା କାଳିମାଡ । ଗତବର୍ଷ ଫେବ୍ରୁଆରୀରେ ନାଗପୁର ହସନବାଗ ଅଂଚଳରେ ନିର୍ବାଚନୀ ରାଲି ସମୟରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ ହଠାତ ତାଙ୍କ ମୁହଁକୁ କାଳି ଫିଙ୍ଗିଥିଲେ ଜଣେ କର୍ମୀ । ଟିକେଟ ଆବଂଟନକୁ ନେଇ ଅସନ୍ତୁଷ୍ଟ ଥିବା ଗୋଷ୍ଠୀ ପକ୍ଷରୁ ଚୌହାଣଙ୍କୁ ଏଭଳି ପ୍ରତିବାଦ କରାଯାଇଥିବା ଜଣାପଡିଥିଲା । କାଳିମାଡ କରିଥିବା ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ଲଳିତ ବାଘେଲଙ୍କୁ ପୋଲିସ ହେପାଜତକୁ ନେବା ପୂର୍ବରୁ କାବୁ କରିନେଇଥିଲେ ଚୌହାଣଙ୍କ ସମର୍ଥକ ଆଉ ନିସ୍ତୁକ ପିଟିଥିଲେ । ପରେ ପୁରା ଘଟଣା ପାଇଁ ଆରଏସଏସ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାଣ ।

ତେବେ ଆକ୍ରମଣକୁ ଖାତିର ନକରି ରାତିରେ କୁମ୍ଭାରୀ ଅଂଚଳର ଗାଁ ଭିତରେ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଭେଟିଛନ୍ତି ଏବଂ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଛନ୍ତି । ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରଚାରସଭାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକେ । ଏହି ଆକ୍ରମଣ ଘଟଣା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପ୍ରାର୍ଥୀ ରୀତା ସାହୁ ଉପସ୍ଥିତ ରହି ଘଟଣାକୁ ନିନ୍ଦା କରିଛନ୍ତି । ବିରୋଧୀ ହତାଶ ହୋଇ ଏଭଳି କାଣ୍ଡ ଭିଆଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ହିଂସାର ଜବାବ ଅହିଂସା ବାଟରେ ବିଜେପୁରବାସୀ ଦେବେ ବୋଲି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି କହିଛି ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଅଣ୍ଡା କିମ୍ବା ଚପଲ ମାଡକୁ ବିଡେପି ନିନ୍ଦା କରୁଛି । ତେବେ ଚପଲ ମାଡ କରିଥିବା ଯୁବକ ବିଡେପିର ବୋଲି ହେଉଥିବା ଅଭିଯୋଗ ନେଇ ସେ କହିଛନ୍ତି ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିବ । କଂଗ୍ରେସ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛି ।

ମୁଖ୍ୟମନ୍ତ୍ରୀଙ୍କ ଉପରେ ଯୋତାମାଡ ଘଟଣାକୁ ନିନ୍ଦା କରି ଟ୍ୱିଟ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ବିକାଶର ଲଢେଇ ପ୍ରଥମେ ଅର୍ଥବଳ ଓ ପରେ ବାହୁବଳର ସଂଘର୍ଷରେ ପରିଣତ ହୋଇଥିବା ସେ ଲେଖିଛନ୍ତି । ଏବଂ ୨୦୧୯ ବେଳକୁ ଏହା କିଭଳି ରୂପ ନେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନରସିଂହ ମିଶ୍ର ।

ସେପଟେ ଆଜି ବି ବିଜେପୁରରେ ଜମିବ ପ୍ରଚାର । ପ୍ରଚାର ଶେଷ ପାଇଁ ୩୬ ଘଂଟାରୁ କମ ସମୟ ରହିଛି । ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ବିଜେଡି ପାଇଁ ପ୍ରଚାର କରିବେ ନବୀନ ପଟ୍ଟନାୟକ । ଗାଇସିଲଟ ଓ ବିଜେପୁରରେ ସେ ପ୍ରଚାର କରିବେ । ସେହିଭଳି କେନ୍ଦ୍ରମନ୍ତ୍ରୀ ରାମକୃପାଲ ଯାଦବ ଓ ଧର୍ମେନ୍ଦ୍ର ପ୍ରଧାନ ବି ସାମିଲ ହେବେ ପ୍ରଚାରରେ । ରାମକ୍ରିପାଲ ଯାଦବ ରୋଡ ଶୋ କରିବା ସହ ୯ଟି ସାଧାରଣ ସଭାରେ ଯୋଗଦେବେ ।