କାହିଁକି ଭୁଶୁଡିଲା ବିଚ୍ଛିନ୍ନାଂଚଳକୁ ସଂଯୋଗର ସେତୁ ! ଗୁରୁପ୍ରୀୟା ସେତୁର ଗାଡାର ଭୁଶୁଡିବା ପରେ କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ

20

କନକ ବ୍ୟୁରୋ : ପବନରେ ଭୁଶୁଡି ପଡିଲା ଗୁରୁପ୍ରୀୟା ସେତୁ । ଗୁରୁପ୍ରୀୟା ସେତୁର ତିନୋଟି ଗାଡାର ଭୁଷୁଡି ପଡିବା ପରେ ସେତୁ ନିର୍ମାଣର ମାନ ଉପରେ ଏବେ ଉଠିଛି ପ୍ରଶ୍ନ । ଷ୍ଟିଲ ଗାଡାର ସ୍ଥାନରେ କାହିଁକି ନିମ୍ନମାନର ସିମେନ୍ଟ କଂକ୍ରିଟ ଗାଡାର ବ୍ୟବହାର କରା ଗଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଏହି ପୋଲ ନିର୍ମାଣ କାମରେ ବ୍ୟପକ ଦୁରନିତୀ ହେଉଥିବା ମଧ୍ୟ ଏବେ ବିଭିନ୍ନ ମହାଲରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଗୁରୁପ୍ରୀୟା ସେତୁ ନିର୍ମାଣରେ ଲାଗି ଥିବା ଶ୍ରମିକ ମାନେ ଏବେ ଗାଡାର ତଳେ କାମ କରିବାକୁ ମଧ୍ୟ ଭୟ କରୁଛନ୍ତି ।

ଗାଡାର ଭୁଶୁଡିବା ପରେ ଆଜି ପୁର୍ତ ବିଭାଗର ଯନ୍ତ୍ରୀଦଳ ଘଟଣାସ୍ଥଳରେ ପହଁଚି ପୋଷ୍ଟମାର୍ଟମ କରିଥିଲେ । ପବନରେ ତିନୋଟି ଗାଡାର ଭୁଷୁଡି ପଡିଥିବା ଯୁକ୍ତି ବାଢିଛନ୍ତି ମାଲକାନଗିରି ପୁର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁୁ । ଗାଡାର ଗୁଡିକ ବିଅରିଙ୍ଗ ଉପରେ ରଖା ହୋଇଥିବା ବେଳେ ଗୋଟିଏ ଗାଡାରକୁ ଅନ୍ୟ ଗାଡାର ସହ ଯୋଡିବା ଲାଗି କ୍ରସ ଗାଡାର କାମ ଶେଷ ହୋଇ ନଥିଲା, ତେଣୁ ସାମାନ୍ୟ ପବନରେ ଏହା ଭୁଷୁଡି ପଡିଲା ବୋଲି କୁହାଯାଇଛି ।

୧୧ ଥର ଟେଣ୍ଡର ଆହ୍ୱାନ କରି ବିଫଳ ହେବା ପରେ ଗତ ୨୦୧୪ ସେପ୍ଟେମ୍ବର ମାସରେ କୋଲକାତାର ରୟାଲ ଇନଫ୍ରା କମ୍ପାନୀକୁ ଟର୍ନ କି ବେସିସରେ ୧୭୨ କୋଟି ବ୍ୟୟ ଅଟକଳରେ ନିର୍ମାଣ ଦାୟିତ୍ୱ ଦିଆ ଯାଇଥିଲା । ତେବେ ଗତ ସେପ୍ଟେମ୍ବର ମାସରେ ଗୁରୁପ୍ରୀୟା ସେତୁର ୩ ଟି ପାଇଲ ଭୁଶୁଡିବା ପରେ ଡିଜାଇନରେ ପରିବର୍ତ୍ତନ କରା ଯାଇଥିଲା । ୧୦୨ଟି ପାଇଲ ସ୍ଥାନରେ ୧୨୬ ପାଇଲ ନିର୍ମାଣ କରାଯିବା ସହ ୬୯ ଟି ଗାଡାର ଓ ୨୩ ଟି ସ୍ଲାବ ଲାଗି ବ୍ୟବସ୍ଥା କରାଗଲା । ଏଥିରୁ ୧୮ ଟି ଷ୍ଟିଲ ଗାଡାର ଓ ୪୮ ଟି କଂକ୍ରିଟ ଗାଡାର ରହିଛି । ତେବେ ଷ୍ଟିଲ ଗାଡାର ପରିବର୍ତ୍ତେ କାହିଁକି ସିମେଂଟ କଂକ୍ରିଟ ଗାଡାର ବ୍ୟାବହାର କରା ଯାଉଛି, ତାହାକୁ ନେଇ ଉଠିଛି ପ୍ରଶ୍ନ । ଡିଜାଇନରେ ତୃଟି ରହିବା ସହ ନିମ୍ନମାନର ବାଲି ବ୍ୟବହାର ହେଉଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି ।

ପ୍ରଥମେ ୧୯୮୨ ମସିହାରେ ୮ କୋଟି ଟଙ୍କା ମୁଲ୍ୟରେ ଟେଣ୍ଡର ଆହଓାନ ହୋଇଥିବା ବେଳେ ୨୦୧୨ ମସିହାରେ ଗାମୋନ ଇଣ୍ଡିଆ ନାମକ କମ୍ପାନୀ ୩୮ କୋଟି ଟଙ୍କା ଅଟକଳ ମୁଲ୍ୟରେ କାମ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ୧୭୨ କୋଟି ଟଙ୍କା ମୁଲ୍ୟରେ କୋଲକାତାର ଏହି ଘରୋଇ କମ୍ପାନିକୁ କାହିଁକି ଏକତରଫା ଭାବେ କାମ ଟେକି ଦିଆଗଲା ବୋଲି ପ୍ରଶ୍ନ ଉଠିଛି ।