ଆହୁରି ଦକ୍ଷ ହେବେ ଓଡ଼ିଶାର ଯୁବଗୋଷ୍ଠୀ : ରାଜ୍ୟରେ ପ୍ରତିଷ୍ଠା ହେବ ବିଶ୍ୱ ଦକ୍ଷତା କେନ୍ଦ୍ର

3

କନକ ବ୍ୟୁରୋ : ଓଡ଼ିଶାରେ ପ୍ରତିଷ୍ଠା ହେବ ବିଶ୍ୱ ଦକ୍ଷତା କେନ୍ଦ୍ର । ଅନ୍ତର୍ଜାତୀୟ ମାନର ଏହି ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଟିଇ ସିଙ୍ଗାପୁରର ସଂସ୍ଥା ଆଇଟିଇ ଏଜୁକେସନ୍‌ ସର୍ଭିସ୍‌(ଆଇଟିଇଇଏସ୍‌) ସହଯୋଗ କରିବ। ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ(ଓଏସ୍‌ଡିଏ)ଙ୍କ ଦ୍ୱାରା ଏହା ସ୍ଥାପନ କରାଯିବ । ଏହାଦ୍ୱାରା ଓଡ଼ିଶାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ହେବା ସହ ସେମାନଙ୍କୁ ଗୁଣାତ୍ମକ ତାଲିମ ଦିଆଯାଇପାରିବ । ଫଳରେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଆବଶ୍ୟକୀୟ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିବିଶେଷ ବାହାରିପାରିବେ । ଏନେଇ ଓଏସ୍‌ଡିଏର କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।ବଡ଼ ନିଷ୍ପତ୍ତିକ୍ରମେ ଦକ୍ଷତା ବିକାଶ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ରହିବା ଉପରେ ପ୍ରାଥମିକତା ଦିଆଯାଇଛି । ରାଜ୍ୟରେ ଥିବା ୨୦ଟି ସ୍କିଲ୍‌ ଡେଭଲପ୍‌ମେଣ୍ଟ ସେଣ୍ଟର(ଏସ୍‌ଡିସି)ରେ ୫୦ ଶଯ୍ୟା ବିଶିଷ୍ଟ ଛାତ୍ର ଓ ଛାତ୍ରୀ ନିବାସ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଯେଉଁ ଏସ୍‌ଡିସିରେ ହଷ୍ଟେଲ ସୁବିଧା ନାହିଁ ସେଠାରେ ପର୍ଯ୍ୟାୟକ୍ରମେ ହଷ୍ଟେଲ ନିର୍ମାଣ କରିବାକୁ ସ୍ଥିର ହୋଇଛି । ଓଏସ୍‌ଡିଏର ଫଣ୍ଡ, ଜମି, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ପ୍ରତିଷ୍ଠା କରାଯିବ ।

ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଯୁବଗୋଷ୍ଠୀଙ୍କୁ ଆୟୁର୍ବେଦ ଡିଟକ୍ସ ଥେରାପି(ପଞ୍ଚକର୍ମ) ବିଷୟରେ ତାଲିମ ଦେବା ପାଇଁ ବାଙ୍ଗଲୋରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଆଣ୍ଡ ଇଣ୍ଟିଗ୍ରେଟେଡ୍‌ ମେଡିସିନ୍‌(ଆଇ-ଏଆଇଏମ୍‌) ଆଣ୍ଡ ଟ୍ରାନ୍ସ ଡିସିପ୍ଲିନାରି ୟୁନିଭରସିଟି(ଟିଡିୟୁୁ) ଆଗ୍ରହ ପ୍ରକାଶ କରିଛି । ଏନେଇ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି ୫ ବର୍ଷ ପାଇଁ ପ୍ରତିବର୍ଷ ୧୦୦ ଜଣ ଲେଖାଏ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ । ପଞ୍ଚକର୍ମ ଥେରାପି ଓ ଯୋଗ ଉପରେ ଆଧାରିତ ସାର୍ଟିଫିକେଟ୍‌ କୋର୍ସ ୬ ମାସ ବିଶିଷ୍ଟ ହେବ । ଏଥିରେ ୧୨୦୦ ଘଣ୍ଟାର କ୍ଲାସ କରାଯିବ । ଟିଡିୟୁ ଦ୍ୱାରା ଅନୁମୋଦିତ ମେଡିକାଲରେ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍‌ କରାଯିବ । ଛତ୍ରଛାତ୍ରୀ ହଷ୍ଟେଲରେ ରହି ଏହି ତାଲିମ ନେଇପାରିବେ। ତାଲିମ ପରେ ଯୁବକ ଯୁବତୀଙ୍କ ପାଇଁ ଶତ ପ୍ରତିଶତ ନିଯୁକ୍ତି ସୁଯୋଗ ରହିଛି। ଏହାକୁ ପାଇଲଟ୍‌ ପ୍ରକଳ୍ପ ଭାବେ ଗ୍ରହଣ କରାଯିବ ।

ଓଏସ୍‌ଡିଏ କାର୍ଯ୍ୟକାରୀ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏ ବିଷୟରେ ଆୟୁଷ ନିର୍ଦେଶକଙ୍କ ମତାମତ ନିଆଯିବ । ଏହି ପାଠ୍ୟକ୍ରମରେ କିଭଳି ନିଯୁକ୍ତି ସୁଯୋଗ ରହିଛି ତାହା ଉପରେ ବାହାର ରାଜ୍ୟରେ ଥିବା ପାଠ୍ୟକ୍ରମ ଉପରେ ବିଚାରବିମର୍ସ ହେବ । ଏହାପରେ ପରବର୍ତୀ ବୈଠକରେ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି । ଟାଟା ପ୍ରୋଜେକ୍ଟସ୍‌ କମ୍ୟୁନିଟି ଡେଭଲେପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ବାର ବାଇଣ୍ଡିଂ, ଫର୍ମଓ୍ଵାର୍କ କାରପେଣ୍ଟ୍ରି, ଟାଓ୍ଵାର ଇରେକ୍ସନ, ଥ୍ରିଜି ୱେଲଡିଂ ବିଷୟରେ ତାଲିମ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ମାଧ୍ୟମରେ ପ୍ରତିବର୍ଷ ୫୦୦ ଯୁବକ ଯୁବତୀଙ୍କୁ ତାଲିମ ଦେବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି । ବୈଠକରେ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଟ୍ରଷ୍ଟର ଅନୁରୋଧ କ୍ରମେ କୋରାପୁଟ ଏସ୍‌ଡିସିରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ସମ୍ପୃକ୍ତ ସଂସ୍ଥା ଭଡ଼ା ଦେବା ସହ ପାଣି, ବିଜୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ରକ୍ଷଣାବେକ୍ଷଣ ଲାଗି ଅର୍ଥ ପ୍ରଦାନ କରିବ ।

Comments are closed.