କନକ ବ୍ୟୁରୋ : ମଲା ତିମିର କଙ୍କାଳକୁ ଯୋଡ଼ିବାରେ ସିଦ୍ଧହସ୍ତ ଓଡ଼ିଆ ପୁଅ ଡ.ଶିବ ପ୍ରସାଦ ପରିଡ଼ା ସମଗ୍ର ଦେଶର ମାନବ ସଂଗ୍ରହାଳୟ ପ୍ରେମୀଙ୍କ ମଧ୍ୟରେ ଏବେ ଏକ ପରିଚିତ ନାଁ’ । ଓଡ଼ିଶା ସମେତ ବାଙ୍ଗାଲୋରର ମହୀଶୂର ଏବଂ ପଶ୍ଚିମବଙ୍ଗର ଦିଘାକୁ ପରିବ୍ୟାପ୍ତ ହୋଇଛି ଡ.ପରିଡ଼ାଙ୍କ ପ୍ରାଣୀ ବିଜ୍ଞାନୀ କାରିଗରୀ । ଏଯାବତ ୫ଟି ବିଶାଳ ତିମିର ମୃତ ଶରୀରକୁ ଉଦ୍ଧାର କରି ତା’କୁ ପ୍ରକ୍ରିୟାକରଣ ପରେ କଙ୍କାଳକୁ ନିଖୁଣ ଭାବେ ଯୋଡ଼ି ନିଜ ବୈଜ୍ଞାନିକ ଚାତୁରୀକୁ ପ୍ରମାଣିତ କରିଛନ୍ତି ।

ସଂପ୍ରତି ଚିଲିକାର ସିଡିଏରେ ଶୋଭା ପାଉଥିବା ୪୨ ଫୁଟର ବାଲିନ୍‌ ତିମିରୁ ଆରମ୍ଭ ହୋଇଥିଲା ତାଙ୍କର ତିମି କଙ୍କାଳ ଯୋଡ଼ା ଅଭିଯାନ । ଗଂଜାମରୁ ଉଦ୍ଧାର ହୋଇଥିବା ଏହି ତିମିକୁ ସମ୍ଭବତଃ ୨୦୦୭ କି ୨୦୦୮ରେ ସେ ଉଦ୍ଧାର କରି ଆଣିବା ପରେ ରାସାୟନିକ ପ୍ରଲେପ ଦେଇ ଯୋଡ଼ି ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ । ପରେ ଗୋପାଳପୁରର ମିଳିଥିବା ୪୭ ଫୁଟର ବାଲିନ୍‌ ହେ୍ଵଲ୍‌ (ତିମି)କୁ ସେ ଉଦ୍ଧାର କରିବା ପରେ ତାକୁ ଦୀର୍ଘଦିନର ପ୍ରଚେଷ୍ଟା ପରେ ଯୋଡ଼ି ପୂର୍ଣ୍ଣାଙ୍ଗ କରିଥିଲେ । ପରେ ଅସ୍ତରଙ୍ଗରୁ ଉଦ୍ଧାର କରାଯାଇଥିବା ୩୨ ଫୁଟର ଏକ ସ୍ପର୍ମ ହେ୍ଵଲ୍‌ (ତିମି) ଉଦ୍ଧାର କରି ତାକୁ ରାସାୟନିକ ପ୍ରକ୍ରିୟାକରଣ ମାଧ୍ୟମରେ ଯୋଡ଼ିଥିଲେ । ଏହି ଦୁଇଟି ସଂପ୍ରତି ଆଚାର୍ୟ୍ୟ ବିହାରସ୍ଥିତ ଜାତୀୟ ମାନବ ବିଜ୍ଞାନ ସଂଗ୍ରହାଳୟ (ଆର୍‌ଏମ୍‌ଏନ୍‌ଏଚ୍‌) ପରିସରରେ ଦେଖେଣାହାରୀଙ୍କ ଆକର୍ଷଣ ସାଜିଛି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ମହୀଶୂରରୁ ଡାକରା ଆସିଥିଲା । ସେଠାରେ ସେ ଦୀର୍ଘଦିନ ଧରି ଅସଜଡ଼ା ଭାବେ ପଡ଼ି ରହିଥିବା ଏକ ତିମିର କଙ୍କାଳ ଅବଶେଷକୁ ଯୋଡ଼ିବା ପାଇଁ ସୁଯୋଗ ପାଇଥିଲେ ।

ମହୀଶୂରର ଆର୍‌ଏମ୍‌ଏନ୍‌ଏଚ୍‌ରେ ଶୋଭାବର୍ଧନ କରୁଥିବା ଏହି ତିମି କଙ୍କାଳଟି ବି ଶ୍ରୀ ପରିଡ଼ାଙ୍କ ସ୍ପର୍ଶ ପାଇବା ପରେ ଏବେ ସେଠାରେ ଆକର୍ଷଣ ସାଜିଛି । ନିକଟରେ ୩ ମାସ ତଳେ ଦୀଘାରେ ଅବସ୍ଥିତ ‘ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ’ରେ ବି ତାଙ୍କ ହାତର ସ୍ପର୍ଶ ପାଇ ପ୍ରସ୍ତୁତ ହୋଇଥିବା ୪୨ ଫୁଟର ତିମି କଙ୍କାଳ ଆକର୍ଷଣ ସାଜିଛି । ଏହି କଙ୍କାଳଟି ୨୦୧୨ ପରଠାରୁ ପୋତା ହୋଇ ରହିବା ପରେ ୨୦୧୬ରେ ସେହି ସ୍ଥାନରୁ କଙ୍କାଳକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ହାଡ଼ଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଥିଲା । ମାତ୍ର ଡ. ପରିଡ଼ା ସେ ସବୁ କଙ୍କାଳକୁ ଯୋଡ଼ି ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ । ଏହା ଦେଖିବା ପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ.ଅମିତା ପ୍ରସାଦ ଡ.ପରିଡ଼ାଙ୍କ କାର୍ୟ୍ୟକୁ ପ୍ରଶଂସା କରିବା ସହ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରି ସମ୍ବର୍ଧିତ କରିଥିଲେ। ଓଡ଼ିଶାରେ ଏତେ କୃତିତ୍ୱ ପରେ ତାଙ୍କୁ ଏଯାଏଁ ସ୍ୱୀକୃତି ମିଳି ନଥିଲେ ହେଁ ଓଡ଼ିଶା ବାହାରେ ଡ.ପରିଡ଼ା ଢେର୍‌ ସମ୍ମାନ ଅର୍ଜନ କରିଛନ୍ତି ।

ତେବେ ଖାଲି ତିମି କଙ୍କାଳର ମଣିଷ ଭାବେ ସେ ସୀମିତ ରହି ନାହାନ୍ତି । ଭୁବନେଶ୍ୱରର ଆର୍‌ଏମ୍‌ଏନ୍‌ଏଚ୍‌, ସିଡିଏ ଓ ଭିତରକନିକା ଆଦି ସଂଗ୍ରହାଳୟରେ ଥିବା ହାତୀ, ଗଣ୍ଡା, ବଜ୍ରକାପ୍ତା, ହରିଣ, ଚନ୍ଦନବୋଡ଼ା, ବଉଳା କୁମ୍ଭୀର, ଡଲ୍‌ଫିନ୍‌, ଚଢ଼େଇ ଭଳି ୨୦ରୁ ଊର୍ଧ୍ୱ ଜୀବଙ୍କ କଙ୍କାଳ ଯୋଡ଼ି ତାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି। ମଲା ତିମିର ପ୍ରକ୍ରିୟାକରଣ ହିଁ ସବୁଠୁ କଷ୍ଟଦାୟକ । ମଲା ଶରୀର ନିକଟରେ ପୁତିଗନ୍ଧମୟ ପରିବେଶରେ ଏତେ ବଡ଼ ଶରୀରରୁ ମାଂସ କାଢ଼ି କେବେ ସଜାଡ଼ିବାକୁ ପଡ଼ି ଛି ତ କେବେକେବେ ଅତି ସୂକ୍ଷ୍ମ ହାଡ଼ଗୁଡ଼ିକୁ ଯୋଡ଼ିବା ପାଇଁ ଅତି ଯତ୍ନବାନ ହେବାକୁ ପଡ଼ିଛି ବୋଲି ଶ୍ରୀ ପରିଡ଼ା କହିଛନ୍ତି । ପ୍ରକ୍ରିୟାକରଣ ପାଇଁ ବର୍ଷବର୍ଷ ସମୟ ଲାଗି ଯାଉଥିବା ବେଳେ ସଜାଡ଼ିବା ପାଇଁ ୬ ମାସ ସମୟ ଲାଗିଯାଏ । କେବଳ ଯୋଡ଼ିବା ପାଇଁ ୫-ରୁ ୬ଦିନ ସମୟ ଲାଗିଯାଏ ବୋଲି ସେ କହିଛନ୍ତି । ପ୍ରାଣୀ ବିଜ୍ଞାନରେ ତାଙ୍କର ଏହି ବୈଜ୍ଞାନିକ କୌଶଳ କୌଣସି ଏକ ନିଖୁଣ ଶିଳ୍ପୀଙ୍କଠାରୁ କମ୍‌ ନୁହେଁ । ଇତିହାସ ଓ ଜୀବ ବିଜ୍ଞାନ ଉପରେ ଆକର୍ଷଣ ରହିଥିବା ଲୋକଙ୍କୁ ତାଙ୍କର ଏହି ସୃଷ୍ଟି ସମୂହ ଆକର୍ଷିତ କରି ଭାରତରେ ଚର୍ଚ୍ଚିତ ହୋଇଥିବା ବେଳେ ଓଡ଼ିଶାରେ ତାଙ୍କୁ ସ୍ୱୀକୃତି ମିଳିଛି କି ନାହିଁ ତାହା ବିଚାର ସାପେକ୍ଷ ।

 

ସୌଜନ୍ୟ- ସମ୍ବାଦ.ଇନ୍