ଶ୍ରୀମନ୍ଦିର ପ୍ରଶାସନର ଭାଙ୍ଗିଲା ନିଦ । ୟେସ୍ ବ୍ୟାଙ୍କରୁ ଜଗନ୍ନାଥଙ୍କ ଟଙ୍କା ୟୁକୋ ବ୍ୟାଙ୍କ ଆକାଂଉଟକୁ ପଠାଇବା ପାଇଁ ଆରବିଆଇକୁ ଲେଖିଲା ଚିଠି, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଓଡିଶାର ଅର୍ଥମନ୍ତ୍ରୀ ।

264

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ଫସିଥିବା ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କାର ସୁରକ୍ଷା ନେଇ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଚେତା ପଶିଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଆରବିଆଇକୁ ଚିଠି ଲେଖି ଟଙ୍କା ଫେରାଇବାକୁ ଅନୁରୋଧ କରିଛି । ୟୁକୋ ବ୍ୟାଙ୍କର ପୁରୀ ମୁଖ୍ୟ ଶାଖାରେ ଥିବା ଶ୍ରୀମନ୍ଦିରର ଆକାଉଂଟକୁ ଟଙ୍କା ସ୍ଥାନାନ୍ତର କରିବାକୁ ଅନୁରୋଧ କରାଯାଇଛି ।

ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଜଗନ୍ନାଥଙ୍କ ଜମା ଟଙ୍କା ଫେରାଇବା ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଏହି ଟଙ୍କା ସୁରକ୍ଷିତ ଥିବା ନେଇ ଆରବିଆଇ ଆଶ୍ୱାସନା ଦେଇଥିବା ନେଇ ସୂଚନା ଦେଇଛନ୍ତି ଅର୍ଥ ସଚିବ ।

ଜଗନ୍ନାଥଙ୍କ ଟଙ୍କା ପାଇଁ ତନାଘନା । ଆରବିଆଇକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି । ନିର୍ମଳାଙ୍କୁ ଚିଠି ଲେଖିଲେ ନିରଞ୍ଜନ । ଭାରତୀୟ ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିରେ ୟେସ୍ ବ୍ୟାଙ୍କରେ ଟିଡିଆର ବା ଟର୍ମ ଡିପୋଜିଟ୍ ରିସିପ୍ଟ ଆକାରରେ ଜମା ରଖାଯାଇଥିବା ଟଙ୍କାର ପୂରା ବିବରଣୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିରେ ଦର୍ଶାଯାଇଛି ଯେ ଦୁଇଟି ଆକାଉଂଟରେ ଜମା ଥିବା ୧୫୬ କୋଟି ଟଙ୍କାର ମାର୍ଚ୍ଚ ୩୦ ତାରିଖରେ ମ୍ୟାଚୁରିଟି ପାଇବ ଏବଂ ଆଉ ଦୁଇଟି ଆକାଂଉଟରେ ୩୮୯ କୋଟିର ଜମା ରାଶି ମାର୍ଚ୍ଚ ୧୯ ତାରିଖରେ ପରିପକ୍ୱ ପାଇବ ।

ମୋଟ ୫୪୫ କୋଟି ଟଙ୍କାର ଜମାରାଶି ଓ ସୁଧ ଟଙ୍କା ମିଶାଇ ପୁରୀ ୟୁକୋ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର ଆକାଉଂଟକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଗତ ଫେବ୍ରୁଆରି ୫ ତାରିଖରେ ଘରୋଇ ବ୍ୟାଙ୍କରୁ ଜମା ଟଙ୍କା ଉଠାଇ ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା ରଖିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତି ନେଇଥିବା ଦର୍ଶାଇଛନ୍ତି ମୁଖ୍ୟ ପ୍ରଶାସକ । କିଶନ କୁମାର, ତାଙ୍କ ଚିଠିରେ ଲେଖିଛନ୍ତି ଜମା ଥିବା ଜଗନ୍ନାଥଙ୍କ ଟଙ୍କାରେ ଦଶନ୍ଧୀ ଦଶନ୍ଧୀ ଧରି ଭକ୍ତଙ୍କ ଦାନରାଶି ରହିଛି । ଏହା ସହ ଭକ୍ତଙ୍କ ଧାର୍ମିକ ଭାବାବେଗ ଜଡିତ ।

ଶ୍ରୀମନ୍ଦିର ପ୍ରଶାସନ ଆରବିଆଇକୁ ଟଙ୍କା ଫେରାଇବାକୁ ଲେଖିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୟେସ୍ ବ୍ୟାଙ୍କରୁ ଟଙ୍କା ରିଲିଜ୍ କରିବା ପାଇଁ ଆରବିଆଇ ଅନୁମତି ଦେଉ ବୋଲି ଚିଠି ଲେଖି ଅନୁରୋଧ କରିଛନ୍ତି ନିରଞ୍ଜନ । ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣରେ ଆରବିଆଇ କଟକଣା ଜାରି କରିଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଜଗନ୍ନାଥଙ୍କ ଜମା ଟଙ୍କା ଫେରାଇବାକୁ ଆରବିଆଇ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ । ସେପଟେ ସବୁ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିବା ରିଜର୍ଭ ବ୍ୟାଙ୍କ ଆଶ୍ୱାସନା ଦେଇଥିବା କହିଛନ୍ତି ଅର୍ଥ ସଚିବ ଅଶୋକ ମୀନା ।

ବେଦାଳିଆ ହୋଇ ପଡ଼ିଥିବା ୟେସ୍ ବ୍ୟାଙ୍କରୁ ଟଙ୍କା ଫେରାଇ ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ତନାଘନା ଆରମ୍ଭ କରିଛି । ଏବେ ପ୍ରଶ୍ନ ଉଠିଛି, ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବ କି ଆରବିଆଇ?