କେରଳ ପରେ ହିମାଚଳରେ ବର୍ଷାର ତାଣ୍ଡବ : ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୧୮ ମୃତ

42

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇଛି । ଭୂସ୍ଖଳନ ଘଟଣା ବଢି ବଢି ଚାଲିଛି । ବନ୍ୟା ଓ ଭୂସ୍ଖଳନରେ ବତ୍ତମାନ ସୁଦ୍ଧା ହିମାଚଳରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପରିସ୍ଥିତିକୁ ନଜରରେ ରଖି ଶିମଲା, ମଣ୍ଡି, ସୋଲନ ଓ ଓନ୍ନାରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଶିମଲା ହାଇୱେ ଉପରକୁ ବଡ ବଡ ପଥର ଖଣ୍ଡ ଖସିପଡୁଛି । ଯାହାଫଳରେ ଯାତାୟତ ବାଧାପ୍ରପ୍ତ ହେଉଛି । କିଛି ସ୍ଥାନରେ ଯାନବାହନ ସହ ଯାତ୍ରୀ ମଧ୍ୟ ଫଶିରହିଛନ୍ତି । ସେପଟେ ରାଜ୍ୟରେ ଆହୁରି ୨ଦିନ ପ୍ରବଳ ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ଚଳିତ ବର୍ଷା ଋତୁରେ ୭ଟି ରାଜ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା ହେତୁ ୭ ରାଜ୍ୟରେ ୭୭୪ ଜଣଙ୍କ ମୃତ୍ୟୁ ହୋଇଛି । ଗୃହ ମନ୍ତ୍ରାଳୟର ଏନ୍‌ଇଆରସି ତଥ୍ୟ ଅନୁଯାୟୀ ଚଳିତ ବର୍ଷା ହେତୁ କେରଳରେ ୧୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୧୭୧, ପଶ୍ଚିମବଙ୍ଗରେ ୧୭୦, ମହାରାଷ୍ଟ୍ରରେ ୧୩୯, ଗୁଜରାଟରେ ୫୨, ଆସାମରେ ୪୫ ଏବଂ ନାଗାଲାଣ୍ଡ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କେରଳରୁ ୨୭ ଜଣ ନିଖୋଜ ହୋଇଯାଇଛନ୍ତି ଏବଂ ପଶ୍ଚିମବଙ୍ଗରେ ୫ ଜଣ ନିଖୋଜ ହୋଇଛନ୍ତି । ଉପରୋକ୍ତ ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ହେତୁ ସମୁଦାୟ ୨୪୫ ଜଣ ଆହତ ହୋଇଛନ୍ତି ।

ବର୍ଷା ମହାରାଷ୍ଟ୍ରର ୨୬ ଜିଲ୍ଲା, ଆସାମର ୨୩ ଜିଲ୍ଲା, ପଶ୍ଚିମବଙ୍ଗର ୨୨ ଜିଲ୍ଲା, କେରଳର ୧୪, ଉତ୍ତରପ୍ରଦେଶର ୧୨, ନାଗାଲାଣ୍ଡ୍‌ର ୧୧ ଏବଂ ଗୁଜରାଟର ୧୦ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଆସାମରେ ୧୧.୪୫ ଲକ୍ଷ ଲୋକ ପ୍ରବଳ କ୍ଷତି ସହିଛନ୍ତି। ୨୭,୫୫୨ ହେକ୍ଟର ଜମିରେ ଶସ୍ୟ ନଷ୍ଟ ହୋଇଛି।

flood-in-himachal-pradesh_3b6c11d0-9efc-11e8-9345-8d51f8ed9678
image courtesy-https://www.hindustantimes.com

ପାଣିପାଗ ବିଭାଗ ପକ୍ଷରୁ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ, ନାଗାଲାଣ୍ଡ୍‌ ଏବଂ ଅରୁଣାଚଳ ପ୍ରଦେଶ ସମେତ ସମୁଦାୟ ୧୬ଟି ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି । ତାମିଲନାଡ଼ୁର ୯ଟି ଜିଲ୍ଲାରେ ଏବେ ବନ୍ୟା ସତର୍କ ଜାରି କରାଯାଇଛି । ମେଟ୍ଟୁର ଡ୍ୟାମ୍‌ରୁ ପ୍ରବଳ ଜଳ ନିଷ୍କାସନ ହେତୁ କାବେରୀ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।  ସଲେମ୍‌, ଏରୋଡ୍‌ ଏବଂ ନମକ୍କଲ୍‌ ଜିଲ୍ଲାର ତଳିଆ ଅଞ୍ଚଳରୁ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।