କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଜାରି ରହିଛି ଜଗା ବଳିଆଙ୍କ ଅପରେସନ୍ । ପ୍ରଥମ ପର୍ୟ୍ୟାୟ ଅପରେସନ୍ ସରିଥିବା ବେଳେ ଆହୁରୀ ୬ ରୁ ୮ ଘଂଟା ଲାଗିପାରେ ବୋଲି କହିଛନ୍ତି ଏମ୍ସ ନ୍ୟୁରୋସର୍ଜନ୍ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର । ଭୋର୍ ୪ ଆରମ୍ଭ ହୋଇଥିବା ଏହି ବିରଳ ଅପରେସନକୁ ବର୍ତ୍ତମାନ ସୁଦ୍ଧା ୧୪ଘଂଟା ହୋଇ ସାରିଲାଣି । ଏବଂ ଶେଷ ହେବାକୁ ଲାଗିବ ଆହୁରୀ ୬ ରୁ ୮ ଘଂଟା । ବର୍ତ୍ତମାନ ସୁଦ୍ଧା ଅପରେସନ୍ ଠିକ୍ ଠାକ୍ ଚାଲିଥିବା ବେଳେ ଏହି ଯୋଡା ମୁଣ୍ଡ ଶିଶୁଙ୍କ ଅବସ୍ଥା ସ୍ଥିର ଅଛି ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଏହି ଅପରେସନ୍ ପାଇଁ ୪୦ ଜଣିଆ ଡାକ୍ତରୀ ଦଳ ସାମିଲ୍ ଥିବା ବେଳେ ଜାପାନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ଅଛନ୍ତି । କେ. ତାକି ଜାୱାଙ୍କ ନେତୃତ୍ୱରେ ଏହି ଅପରେସନ୍ ଚାଲିଛି ।

ଫୁଲବାଣୀର ଯାଆଁଳା ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀରେ ଅପରେସନ ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦୁଇ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆଉ ପରେ ଉଭୟଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ ଲଗାତର ମାସେ ଧରି ସବୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ନେତୃତ୍ୱରେ ଆଜି ସକାଳୁ ଅପରେସନ ଆରମ୍ଭ ହୋଇଛି । ହସପିଟାଲରେ ଆଡମିଟ୍ ପରେ ଦୁଇ ଶିଶୁଙ୍କ ଇସିଜି, ସିଟି ସ୍କାନ, ଏମ୍ଆରଆଇ, ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପ୍ଲାଷ୍ଟିକ ସର୍ଜରୀ, ଆନାସ୍ଥେସିଆ ଓ ସର୍ଜରୀ ବିଭାଗର ବିଶେଷଜ୍ଞ ଓ ଡାକ୍ତର ମଧ୍ୟ ସାମିଲ ଅଛନ୍ତି । ଆଜି ଯଦି ଏହି ବିରଳ ଅପରେସନ ସଫଳ ରହେ , ତେବ ଏହା ସଫଳ ହେଲେ ଭାରତୀୟ ଚିକିତ୍ସା ବିଜ୍ଞାନରେ ଯୋଡିଦେବ ଏକ ନୂତନ ଅଧ୍ୟାୟ ।

Comments

comments