ଚକଡା ଚିନ୍ତା ! ଆଜି ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ ଟିମ, ୧୨ରେ ଆସିବେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ

61

କନକ ବ୍ୟୁରୋ : ଓଡ଼ିଶାରେ ମରୁଡ଼ି ଓ ରୋଗ ପୋକ ଆକ୍ରମଣ ପ୍ରସଙ୍ଗ ନୂଆଦିଲ୍ଲୀରେ ଉଠିଛି। ପୋକ ଜନିତ ସମସ୍ୟାକୁ ନେଇ ରାଜ୍ୟରେ ଘଣ୍ଟା ଚକଟା ଚାଲିଥିବା ବେଳେ ଏଥିରେ ମୁଣ୍ଡ ପୂରାଇଛନ୍ତି କେନ୍ଦ୍ର ସରକାର। ଆଜି ଠାରୁ ୪ ଦିନଆ ଗସ୍ତରେ ଆସିବ ବିଜେପିର ଏହି କେନ୍ଦ୍ରୀୟ ଟିମ । ୬ଟି ଜିଲ୍ଲା ଗସ୍ତ କରି ଅମିତ ଶାହାଙ୍କୁ ରିପୋର୍ଟ ଦେବ ଟିମ । ରାଜ୍ୟ ବିଜେପି କର୍ମକର୍ତାଙ୍କ ସହ ବରଗଡ, ବଲାଙ୍ଗୀର, ନୂଆପଡା, ସୋନପୁର ବୌଦ୍ଧ ଓ ନୟାଗଡ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବ ବିଜେପିର କେନ୍ଦ୍ରୀୟ ଟିମ ।

କେବଳ କେନ୍ଦ୍ରୀୟ ଟିମ ନୁହେଁ ଓଡିଶାରେ ଚକଡା ପୋକର କ୍ଷୟକ୍ଷତି ଆକଳନ କରିବାକୁ ଆସିବେ ମୋଦିଙ୍କ ମନ୍ତ୍ରୀ । ଆସନ୍ତା ୧୨ ତାରିଖରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବରଗଡ ଗସ୍ତ କରିବେ । ଗସ୍ତ ପୂର୍ବରୁ ଅଭିଯୋଗ ଆଣି ଗଜେନ୍ଦ୍ର କହିଛନ୍ତି, ଗତ ଅକ୍ଟୋବର ୪ ତାରିଖରେ ଏସଂକ୍ରାନ୍ତରେ କେନ୍ଦ୍ରୀୟ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଥିଲେ ବି କୌଣସି ପଦକ୍ଷେପ ନେଇନଥିଲେ ଓଡିଶା ସରକାର । ଏହି ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଦୋଷ ଲଦିବା ସହିତ ପରିସ୍ଥିତିର ଅନୁଧ୍ୟାନ ଲାଗି ଟିମ୍ ପଠାଇବ। ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ପରିସ୍ଥିତି ଅନୁଧ୍ୟାନ ଲାଗି କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀଙ୍କ ନେତୃତ୍ୱରେ କୃଷି ବୈଜ୍ଞାନିକମାନଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତିନିଧି ଦଳ ବରଗଡ଼ ସମେତ ଅନ୍ୟ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ। ରାଜ୍ୟ ସରକାରଙ୍କ ସହ ମଧ୍ୟ ପ୍ରତିନିଧି ଦଳ ଆଲୋଚନା କରିବେ। ସେପଟେ ରାଜ୍ୟ ସରକାର ଏହି କ୍ଷୟକ୍ଷତିର ଭରଣା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡଲାଇନ୍ ଦେଇଛନ୍ତି । ଚକଡା ପୋକ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ସମେତ ସମସ୍ତ ଭାଗ ଚାଷୀ ଙ୍କୁ ବି ଏହି ସହାୟତା ମିଳିବ ।