ଭାରତୀୟ ସେନାର ଆକ୍ରମଣ ପରେ ପାକିସ୍ତାନରେ ହଲଚଲ । ନିୟନ୍ତ୍ରଣ ରେଖାର ଅନେକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ, ସିଆଲକୋଟରେ ଟ୍ୟାଙ୍କର ବ୍ୟବହାର,୧୦ ଯବାନ ଆହତ

ନିୟନ୍ତ୍ରଣ ରେଖାରେ ଏବେ ବି ଗୁଳିବର୍ଷା ଲାଗିରହିଛି

317

କନକ ବ୍ୟୁରୋ : ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିବାପରେ ନିୟନ୍ତ୍ରଣ ରେଖାରେ ଏବେ ବି ଗୁଳିବର୍ଷା ଲାଗିରହିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ପଟୁ ଲଗାତାର ଭାବରେ ଗୁଳିବର୍ଷା ଜାରି ରହିଛି । ସିଆଲକୋଟ ଅଞ୍ଚଳରେ ପାକିସ୍ତାନ ଟ୍ୟାଙ୍କ ବ୍ୟବହାର କରିଥିବା ମଧ୍ୟ ଜଣାପଡିଛି । ତେବେ ସେହି ଆକ୍ରମଣରେ ଭାରତର ୧୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଭୋର ସମୟରେ ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ ହେବା ପରେ ପାକିସ୍ତାନ ସୀମାରେ ପ୍ରବଳ ଗୁଳିବର୍ଷା ଜାରି ରଖିଛି । କେବଳ ଏତିକି ନୁହେଁ ସୀମାରେ ମୋଟାର ମାଡ ମଧ୍ୟ ହୋଇଛି । ତେବେ ଭାରତ ପକ୍ଷରୁ ମଧ୍ୟ ସୀମାରେ ପାକିସ୍ତାନକୁ କଡା ଜବାବ ଦିଆଯାଉଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତର ପ୍ରତିଆକ୍ରମଣ ପରେ ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି ହୋଇଛି । ପାକର ଗୁଳିବର୍ଷାରେ ଭାରତର ୧୦ ଯବାନ ମଧ୍ୟ ଆହତ ହୋଇଛନ୍ତି । ସୀମାରେ ଏପରି ଭାବରେ ଗୁଳିବର୍ଷା ହେଉଥିବା କାରଣରୁ ୫ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଥିବା ବେଳେ କିଛି ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ପଞ୍ଜାବକୁ ଲାଗି ରହିଥିବା ସୀମାର କେତେକ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏହାସହ ଯଦି ସୀମାରେ ପାକିସ୍ତାନ ପଟୁ କୌଣସି ହରକତ କରାଯାଏ ତେବେ ତାଙ୍କୁ କଡା ଯବାବ ଦିଆଯିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସେନାକୁ କୁହାଯାଇଛି ।