ନବରଙ୍ଗପୁର : ରାଜ୍ୟର ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶ୍ନ ଆସିଛି ପାଠପଢାର ମାନକୁ ନେଇ, ଶୈକ୍ଷିକ ଭିତିଭୂମିକୁ ନେଇ । ହେଲେ ସବୁବେଳେ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡେଇ ଦିଅନ୍ତି ରାଜ୍ୟ ସରକାର । ସରକାରତ ସବୁ ଠିକ୍ ଠାକ୍ ଥିବା ନେଇ ଯୁକ୍ତି ବାଢନ୍ତି । ହେଲେ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି କେଉଁ ସ୍କୁଲରେ କେମିତି ପରିବେଶ ଭିତରେ ଭବିଷ୍ୟତ ଗଢା ହୁଏ ଏଦେଶର ଭବିଷ୍ୟତ ମାନଙ୍କର । ଭାତ ହାଣ୍ଡିରୁ ଗୋଟିଏ ପରି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରି ପଂଚାୟତର ସାନଖଇରା ଗାଁ ।

ସ୍କୁଲ ଘର କହିଲେ ଚାରି ଖଣ୍ଡ ବାଉଁଶ ପୋତା ଛଣଛପର ଚାଳିଆଟିଏ । ହାତଗଣତି କେଇ ଖଣ୍ଡ ବାଉଁଶକୁ ପୋତି ଦିଆଯାଇଛି ଯାହା ପାଚେରୀର ଆବଶ୍ୟକତା ପୂରଣ କରେ । ଆଉ ସ୍କୁଲକୁ ରାସ୍ତା କଥା ନକହିଲେ ଭଲ । ମୁଖ୍ୟ ରାସ୍ତା ହେଉଛି ବିଲର ହିଡ । ଏହି ରାସ୍ତା ଉପରେ ପ୍ରତିଦିନ କୁନି କୁନି ପାଦ ଗୁଡିକ ସ୍କୁଲକୁ ଆସେ । ଖରା ବର୍ଷା ଶୀତ କାକରରେ ଏହି ସ୍କୁଲ ଘରେ ଏହି ପରିବେଶରେ କ’ଣ ପାଠ ପଢିବା, ପାଠ ପଢାଇବା ସମ୍ଭବ । ସାନଖଇରା ସ୍କୁଲରେ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ୭୬ଜଣ ପିଲା ପାଠ ପଢନ୍ତି । ପଢାନ୍ତି ୨ଜଣ ଶିକ୍ଷକ ।

ଏହି ଛୋଟିଆ ପିଲାମାନଙ୍କର କଅଁଳ ସ୍ୱରର ଅଭିଯୋଗ ଶୀତ ତାପ ନିୟନ୍ତ୍ରୀତ କୋଠରୀ ଭିତରେ ଶିକ୍ଷା ବିଭାଗର ବଡ ବଡ ଅଧିକାରୀଙ୍କ କାନ ପର୍ଯ୍ୟନ୍ତ ପହଂଚିପାରେନି । ସରକାରଙ୍କ କେତେ କ’ଣ ଯୋଜନା କେତେ କ’ଣ ଅଭିଯାନ । ସର୍ବଶିକ୍ଷା ଅଭିଯାନ କରି ସ୍ଲୋଗାନ ଦିଆଯାଉଛି ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ। ହେଲେ ଆଗକୁ ବଢିବା ପାଇଁ ନିଜ ଭବିଷ୍ୟତ ଗଢିବା ପାଇଁ ଏ ୭୬ପିଲାଙ୍କୁ ସର୍ବନିମ୍ନ ମୌଳିକ ଭିତିଭୂମି ଯୋଗାଇ ଦିଆଯାଉନି କାହିଁକି ?