ସ୍ୱାଭାବିକ ହେଉଛି ଶ୍ରୀକ୍ଷେତ୍ର, ଉଠିଲା ୧୪୪ ଧାରା : ଚାଲିଛି ସିସିଟିଭି ଯାଂଚ, ମନ୍ଦିର ପ୍ରବେଶ ଲାଗି ସ୍ଥାନୀୟ ଲୋକଙ୍କୁ ପରିଚୟପତ୍ର ଜରୁରୀ

51

କନକ ବ୍ୟୁରୋ : ସ୍ୱାଭାବିକ ହେଉଛି ଶ୍ରୀକ୍ଷେତ୍ର । ପୁରୀ ବଡଦାଣ୍ଡରୁ ହଟିଲା ୧୪୪ ଧାରା । ଗତକାଲିର ଦିନ ତମାମ ବଡଦାଣ୍ଡରେ ହିଂସାକାଣ୍ଡ ପରେ ସଂଧ୍ୟାରେ ପରିସ୍ଥିତିର ସମାଧାନ ପାଇଁ ଶାନ୍ତି କମିଟି ବୈଠକ ବସିଥିଲା । ଏହି ବୈଠକରେ ସମାଧାନର ବାଟ ବାହରିଛି । ପୁରୀ ଲୋକମାନଙ୍କ ପାଇଁ କଟକଣା ହଟାଇ ଦିଆଯାଇଛି । ଏଣିକି ପୁରୀ ଲୋକମାନେ ଧାଡ଼ିଦର୍ଶନରେ ନଆସି ମନ୍ଦିରର ୪ ଦ୍ୱାର ଦେଇ ଆସିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡିବ । ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯିବ । ଅନ୍ୟପଟେ ସେବାୟତମାନଙ୍କ ପରିବାର ଲୋକ ବିନା ବାଧାରେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ସେମାନଙ୍କ ପାଇଁ କୌଣସି ପରିଚୟପତ୍ରର ଆବଶ୍ୟକତା ନାହିଁ । ଏହା ସହ ଭଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସିସିଟିଭି ଯାଂଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେପଟେ ପୁରୀରେ ହିଂସାକାଣ୍ଡର ଭିଡିଓ କ୍ଲିପ୍ ଆମିକସକ୍ୟୁରୀଙ୍କୁ ପଠାଇଛି ପ୍ରଶାସନ । ଆଜି ସମ୍ପୂର୍ଣ୍ଣ ଘଟଣାର ରିପୋର୍ଟ ଦେବ । କେଉଁ ପରିସ୍ଥିତିରେ ଏତେ ବଡ ଘଟଣା ଘଟିଗଲା ସେନେଇ ସଂପୂଣ୍ଣ ରିପୋର୍ଟ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁୁ କହିଛନ୍ତି ଆମିକସକ୍ୟୁରୀ । କେଉଁ ପରିସ୍ଥିତିରେ ଧାଡି ଦର୍ଶନ ବ୍ୟବସ୍ଥାରେ ବ୍ୟାହତ ହେଲା ଏବଂ କିଏ କେଉଁ ପରିସ୍ଥିତିରେ ବ୍ୟାରିକେଡ୍ ଭାଙ୍ଗି ବିଶୃଙ୍ଖଳା ସୃଷ୍ଟି କଲେ, ତାହାର ସମସ୍ତ ତଥ୍ୟ ମାଗିଛନ୍ତି ।

ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦକୁ ନେଇ ପୁନଃ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିବା ଆମିକସକ୍ୟୁରୀ ଗତକାଲିର ଘଟଣା ପରେ କଠୋର ହେବେ ବୋଲି ଅନୁମାନ କରାଯାଉଛି । ଘଟଣାର ସମ୍ବେଦନଶୀଳତା ଓ ଗମ୍ଭୀରତା ଦୃଷ୍ଟିକୋଣରୁ ସେ ଖୁବଶୀଘ୍ର ଶ୍ରୀମନ୍ଦିର ପରିଦର୍ଶନରେ ଆସିବେ ବୋଲି ଜଣାପଡିଛି । ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ମାମଲାର ପରବର୍ତ୍ତି ଶୁଣାଣି ଥିିବାବେଳେ ଏହି ହିଂସା ଏକ ନକରାତ୍ମକ ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି ।