ବେହାଲ କଲା ‘ବୁଲବୁଲ୍’ । ବର୍ଷା ପବନ ମାଡରେ ଭାଙ୍ଗିଲା ଘର, ଉପୁଡ଼ି ପଡ଼ିଲା ଗଛ । ଓଡ଼ିଶା ସୀମାକୁ ଛୁଇଁ କରାଳ ଛାପ ଛାଡିଗଲା ବାତ୍ୟା ।

1,301

କନକ ବ୍ୟୁରୋ : ଆଜି ବାତ୍ୟା ବୁଲବୁଲ ଓଡିଶା ଦେଇ ବାଂଲାଦେଶ ଅତିକ୍ରମ କରିଛି । ଗତକାଲି ଅପରାହ୍ନରୁ ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ବର୍ଷା ଲାଗିରହିଥିଲା । ବାତ୍ୟା ପାରାଦୀପରୁ ୯୫ କିଲୋମିଟର ଦୂରରେ ଓଡିଶାକୁ ଅତିକ୍ରମ କରିଥିବା ବେଳେ ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ୧୧୦ କିଲୋମିଟର ବେଗରେ ପବନ ବୋହିଛି । ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡିପଡିଥିବା ବେଳେ ବିଜୁଳି ଖୁଂଟ ଉପୁଡିପଡିଛି । କିଛି ସ୍ଥାନରେ କଚା ଘର ବି ଭାଙ୍ଗିଯାଇଛି । ଏପରିକି ବାତ୍ୟା ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ବି ସାମ୍ନାକୁ ଆସିଛି ।

ପାରାଦୀପ :

ଓଡିଶା ସୀମାକୁ ଛୁଇଁ ମାଡି ଚାଲିଥିଲା ବାତ୍ୟା, ଆଉ ସାଙ୍ଗରେ ଛାଡି ଚାଲିଥିଲା ଏହାର କରାଳ ଛାପ । ପବନର ବେଗ ଫନି ଭଳି ଅତି ଭୀଷଣ ନଥିଲା ତଥାପି ବଡ ବଡ ଗଛ ଉପୁଡି ପଡିଥିଲା ବାତ୍ୟା ବୁଲବୁଲ୍ ମାଡରେ । ଉପକୂଳରୁ ୯୫ କିଲୋମିଟର ଦୂରରେ ବାତ୍ୟା ଗତି କରୁଥିଲେ ମଧ୍ୟ ପାରାଦୀପରେ ୧୧୦ କିଲୋମିଟର ବେଗରେ ପବନ ବୋହୁଥିଲା ।

କେନ୍ଦ୍ରାପଡା :

ବଡ ବଡ ଗଛ ଉପୁଡିପଡିଛି । ଘରର ଚାଳ ଛପର ଉଡିଯାଇଛି । ବିଦ୍ୟୁତ୍ ଖୁଂଟ ବି ରାସ୍ତା ଉପରେ ମୁହଁମାଡି ପଡିଛି । ବର୍ଷା ଓ ପବନ ମାଡରେ ପ୍ରଭାବିତ ହୋଇଛି କେନ୍ଦ୍ରାପଡାର ବିଭିନ୍ନ ବ୍ଳକ୍ । ରାଜନଗର ଓ ରାଜକନିକାରେ କ୍ଷୟକ୍ଷତି ଅଧିକ ହୋଇଥିବା ସୂଚନା ମିଳିଛି ।

ବାଲେଶ୍ୱର :

ସେପଟେ ସମୁଦ୍ର ଅଶାନ୍ତ ରହିଥିଲା । ବର୍ଷା ଓ ପବନର ବେଗ ବି ବଢିଯାଇଥିଲା । ବୁଲବୁଲ, ବାଲେଶ୍ୱର ଉପକୂଳ ଦେଇ ଗତି କରୁଥିବା ବେଳେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା । ବାତ୍ୟାର ପ୍ରଭାବରେ ବାଲେଶ୍ୱରରେ ୩୦ ଘଂଟା ଧରି ବର୍ଷା ଲାଗିରହିଥିବା ବେଳେ ୮୦ କିଲୋମିଟର ବେଗରେ ପବନ ବୋହିଛି । ଘରଦ୍ୱାର, ରାସ୍ତାଘାଟ ପାଣିରେ ବୁଡି ରହିଛି । କିଛି ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ କଚା ଘର ବି ଭାଂଗିଯାଇଛି ।

ଭଦ୍ରକ :

କେନ୍ଦ୍ରାପଡା ଦେଇ ଭଦ୍ରକ ଉପକୂଳକୁ ଗତି କରୁଥିବା ବେଳେ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । ସମୁଦ୍ରରେ ଭୟଙ୍କର ଲହଡି ସାଙ୍ଗକୁ ଜୁଆର ମାଡିଆସିଥିଲା । ୮୦ରୁ ୯୦ କିଲୋମିଟର ବେଗର ପବନରେ ଭାଂଗିପଡିଥିଲା ବଡ ବଡ ଗଛ । ଧାମରାରେ ଫସିଯାଇଥିଲା ବୋଟ୍ ।

ବାତ୍ୟା ଓଡିଶାରେ ସ୍ଥଳଭାଗ ଛୁଇଁନଥିଲେ ମଧ୍ୟ ପ୍ରବଳ ବର୍ଷା ଓ ପବନରେ ହଜାର ହଜାର ହେକ୍ଟର ଫସଲ ଧୋଇଯାଇଛି । ଉଜୁଡି ଯାଇଛି ଧାନ ଓ ପନିପରିବା ଚାଷ । ଅମଳ ଋତୁରେ ଜମିରେ ପାଣି ଭର୍ତ୍ତି ହୋଇ ରହିଛି । ଆଉ ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।