ଦୁର୍ଘଟଣାରେ ପ୍ରାଣ ହରାଇଲେ ଜାତୀୟ ସାହସିକତା ପୁରସ୍କାର ପ୍ରାପ୍ତ ଛାତ୍ର । ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା ।

1,689

କନକ ବ୍ୟୁରୋ : ଜାତୀୟ ସାହସିକତା ପୁରସ୍କାର ପାଇଥିବା ଛାତ୍ର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡା ରାଜନଗର ଜରି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ଵା ଧକ୍କା ଦେବାରୁ ଶୁକ୍ରବାର ସନ୍ଧ୍ୟାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଜାତୀୟ ସାହସିକତା ପୁରସ୍କାର ପ୍ରାପ୍ତ ଛାତ୍ର ସିତୁ ମଲିକ ଓ ତାଙ୍କର ସମ୍ପର୍କୀୟ ଭାଇ ଦୁର‌୍ୟ୍ୟୋଧନ ମଲିକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଛି । ମାତ୍ର ଏହା ପୂର୍ବରୁ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି । ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ଯାତାୟତ ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ ଚଳିତ ବର୍ଷ ଉଭୟ ସିତୁ ଓ ଦୁର‌୍ୟ୍ୟୋଧନ ଜାତୀୟ ସାହସିକତା ପୁରସ୍କାର ପାଇଥିଲେ । କୁମ୍ଭୀର ମୁହଁରୁ ଦାଦାଙ୍କୁ ବଞ୍ଚାଇ ସାହସିକତା ସମ୍ମାନ ପାଇଥିଲେ ସିତୁ ମଲିକ । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।