ସଂକଟ ବେଳେ ସଂଜୀବନୀ । ମାନ୍ଦାବସ୍ଥା ମୁକାବିଲା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା , ରିୟଲ ଇଷ୍ଟେଟ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ୟାକେଜ

239

କନକ ବ୍ୟୁରୋ : ଦେଶର ମାନ୍ଦାବସ୍ଥା ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଘୋଷଣା କରିଛନ୍ତି । ରିଅଲ ଇଷ୍ଟେଟ ଉପରେ ଫୋକସ କରିଛନ୍ତି ଅର୍ଥମନ୍ତ୍ରୀ । ୬୦ ପ୍ରତିଶତ ନିର୍ମାଣ ସରିବା ପରେ ଅଟକି ରହିଥିବା ହାଉସିଂ ପ୍ରୋଜେକ୍ଟ ପାଇଁ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ନିବେଶକଙ୍କ ପାଖରୁ ଆଉ ୧୦ ହଜାର କୋଟି ଟଙ୍କା ଆଣିବାକୁ ଯୋଜନା କରିଛନ୍ତି ସରକାର ।

ଅଟକି ରହିଥିବା ପ୍ରକଳ୍ପ ପାଇଁ ମୋଟ ୨୦ ହଜାର କୋଟିର ଟ୍ରେସ ଫଣ୍ଡ ଗଠନ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯାହା ଫଳରେ ଅର୍ଥ ଅଭାବରୁ ଦିଲ୍ଲୀ ଓ ଏନସିଆରରେ ଅଟକି ରହିଥିବା ଘର ନିର୍ମାଣ ପ୍ରକଳ୍ପ ଫାଇଦା ପାଇବେ । ତେବେ ସରକାରଙ୍କ ସର୍ତ ଏନପିଏ ଓ ଏନ୍ସିଏଲଟିରେ ମାମଲା ଥିଲେ ଟ୍ରେସ ଫଣ୍ଡରୁ ଘର ନିର୍ମାଣକାରୀ ସଂସ୍ଥାକୁ ଅର୍ଥ ମିଳିବ ନାହିଁ । ଘର କିଣିବାକୁ ଚାହୁଁଥିବା ମଧ୍ୟବିତ ବର୍ଗଙ୍କୁ ନିର୍ମଳାଙ୍କ ଘୋଷଣା ଆଶ୍ୱସ୍ତି ଆଣି ଦେଇଛି ।

 

ସେହିପରି ରପ୍ତାନୀ ବୃଦ୍ଧି କରିବା ପାଇଁ ଟିକସ ହ୍ରାସ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଏଥିସହ ରପ୍ତାନୀ ପାଇଁ ଲାଗୁଥିବା ସମୟ କମ କରିବା ଅର୍ଥାତ୍ ଗୁଡସ କ୍ଲିୟରେନ୍ସ ଦିନକ ଭିତରେ ଶେଷ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଆସନ୍ତା ବର୍ଷ ମାର୍ଚ୍ଚରୁ ଦେଶର ୪ଟି ସ୍ଥାନରେ ମେଗା ସପିଙ୍ଗ ଫେଷ୍ଟିଭାଲ ଆୟୋଜନ କରାଯିବ । ସୁନା ଅଳଙ୍କାର, ଯୋଗ ଓ ପର୍ଯ୍ୟଟନ, ବୟନଶିଳ୍ପ ଓ ଚମଡା ଶିଳ୍ପ କ୍ଷେତ୍ରରେ ଏହି ମେଗା ସପିଙ୍ଗ ଫେଷ୍ଟିଭାଲ ଆୟୋଜିତ ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ ।