ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର ! ବୈଦିକ ରୀତିରେ ସଂପନ୍ନ ହେଲା ଦେବଦମ୍ପତିଙ୍କ ବାହାଘର

103

କନକ ବ୍ୟୁରୋ : ଜଗଜ୍ଜନନୀ ଶକ୍ତି ସ୍ୱରୂପିଣୀଙ୍କ ହାତ ଧରିଲେ ନଟରାଜ । ଗତକାଲି ବିଳମ୍ବିତ ରାତିରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ମହାଆଡମ୍ବରେ ଅନୁଷ୍ଠିତ ହୋଇଛି । ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଛି ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ ବିବାହ । ଏବେ ଚାଲିଛି ହର-ପାର୍ବତୀଙ୍କ ଯୁଗଳ ଦର୍ଶନ । ଏହି ବିବାହ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ସାରା ସମ୍ବଲପୁର । ରାତି ପ୍ରାୟ ୧୧ଟା ମଙ୍ଗଳ ଆଳତୀ କରାଯାଇ ମହାଦେବଙ୍କ ବରଯାତ୍ରୀ ବାହାରିଥିିଲା ।

ବର ବେଶରେ ସଜ୍ଜିତ ମହାଦେବ ବୃଷଭାରୁଢ଼ ହୋଇ ଶ୍ମଶାନଚାର, ନନ୍ଦୀମୃଙ୍ଗୀ, ନୃସିଂହ, ମହାପ୍ରଭୁ, ହନୁମାନ, , ସାକ୍ଷୀଗୋପୀନାଥଙ୍କ ସମେତ ପଡ଼ାର ମୁରବୀମାନଙ୍କ ଗ୍ରହଣରେ ବରାନୁଗମନ କରିଥିଲେ । ବୃଷଭାରୁଢ଼ ଶିବଙ୍କ ସମ୍ମୁଖରେ ଦୁଲଦୁଲି ବାଜାରେ ତାଳେ ତାଳେ ନ୍ୟୃତ, ବିିଭିନ୍ନ ସ୍ଥାନରୁ ଆସିଥିବା ରେକର୍ଡ ଡ୍ୟାନ୍ସ, ଆଲବମ ଆର୍ଟିଷ୍ଟଙ୍କ ନୃତ୍ୟ, ଘଂଟ, ଶଂଖ, ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସାରା ସହର । ଭବ୍ୟ ଶୋଭାଯାତ୍ରାରେ ହରହର ମହାଦେବ ଯାଇ ପହଞ୍ଚିଥିଲେ କନ୍ୟାଘରେ ।

ସେଠାରୁ କନ୍ୟାପିତା ଭୋଳାବାବାଙ୍କୁ ବରଣ କରି ସୁସଜ୍ଜିତ ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ । ଏହାପରେ ରୀତିନିତୀ ଅନୁଯାୟୀ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବକୁ ଦେଖିବା ପାଇଁ ସମ୍ବଲପୁର ସହରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଗହଳିକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର ରଖାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ୨୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।