ଆରମ୍ଭ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ

35

ସମ୍ବଲପୁର ବ୍ୟୁରୋ,କନକ ନ୍ୟୁଜ୍ : ଆରମ୍ଭ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ- ଥାଳଉଠା ପରମ୍ପରା । ଅକ୍ଷୟ ତୃତୀୟାର ପବିତ୍ର ତିଥିରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ଚୟନ ହୋଇଛନ୍ତି କନ୍ୟା ପିତାମାତା । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୁଏ ଷଷ୍ଠୀ ଯାତ୍ରର ପ୍ରକ୍ରିୟା । ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଏବଂ ମୋଦିପଡ଼ା ଜାଗେଶ୍ୱର ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟି ପକ୍ଷରୁ ଥାଳଉଠା ପରମ୍ପରା ସମ୍ପନ୍ନ ହୋଇଛି । ଏହି ଥାଳରେ ହିଁ ଶ୍ରଦ୍ଧାଳୁମାନେ ମହାଦେବଙ୍କ ବିବାହ ପାଇଁ ଦାନ ଅର୍ଥ ପ୍ରଦାନ କରିଥାନ୍ତି ।

ଅକ୍ଷୟ ତୃତୀୟାର ଏହି ପବିତ୍ର ତିଥିରେ ଶିବ-ପାର୍ବତୀଙ୍କ ବିବାହ ପାଇଁ କନ୍ୟା ପିତାମାତା ଚୟନ ହୋଇଥାଏ । ଚଳିତବର୍ଷ ଝାଡୁଆପଡ଼ା ଯାତ୍ରା ପାଇଁ ଜଗନ୍ନାଥ କଲୋନୀର ପ୍ରଦୀପ୍ତ ନାଥ ଓ ଦିପ୍ତୀ ନାଥ ମା ପାର୍ବତୀଙ୍କୁ କନ୍ୟା ରୂପେ ଗ୍ରହଣ କରିଛନ୍ତି । ସେହିପରି ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବରଯାତ୍ରୀ ସହୋଜନଗରର ଗୋପାଳ କୃଷ୍ଣ ମିଶ୍ରଙ୍କ ଘରକୁ ଯିବା ନେଇ ସ୍ଥିତି ହୋଇଛି ।

ଆଦ୍ୟପର୍ବର ଥାଳଉଠାର ଠିକ୍ ମାସକ ପରେ ଅନୁଷ୍ଠିତ ହେବ ସମ୍ବଲପୁରର ଦେବ ଦମ୍ପତିଙ୍କ ବିବାହ ଉତ୍ସବ ବା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ।