ଶେଷ ହେଲା ଦେବଦମ୍ପତିଙ୍କ ବାହାଘର! ଶୀଳତଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର, ଆଜି ବାହାରିବ ଯୁଗଳବନ୍ଦୀ ଶୋଭାଯାତ୍ରା

40

କନକ ବ୍ୟୁରୋ : ଶୀତଳଷଷ୍ଠୀରେ ଶେଷ ହୋଇଛି ଦେବ-ଦମ୍ପତିଙ୍କ ବିବାହ । ବିବାହ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଉତ୍ସବମୁଖର ହୋଇପଡିଥିଲା । ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ହୋଇ ଉଠିଛି ଚଳଚଂଚଳ । ଗତ ରାତିରେ ଜଗଜ୍ଜନନୀ ମା’ ପାର୍ବତୀଙ୍କ ସହ ପ୍ରଭୁ ଶିବଶଙ୍କରଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଦେବ ବିବାହକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ସହରକୁ ଛୁଟିଛି ହଜାରହଜାର ଭକ୍ତଙ୍କ ସୁଅ। ବର ବେଶରେ ନନ୍ଦପଡାର ବାଲୁଙ୍କେଶ୍ୱର ବାବା ଯାଇ , ବରଯାତ୍ରୀଙ୍କୁ ଧରି ବାଜା, ବାଣ ରୋଷଣୀ ସହ ମା’ଙ୍କୁ ବିବାହ କରିଛନ୍ତିି । ଏବେ ଯୁଗଳମୂର୍ତି ବେଦୀରେ ଦର୍ଶନ ଦେଉଛନ୍ତି । ଏହି ବିବାହରେ ସାକ୍ଷୀ ରହିଥିଲେ ସାକ୍ଷୀ ଗୋପୀନାଥ ।

ରବିବାର ସକାଳେ ପୂର୍ବ ବର୍ଷର କନ୍ୟା ପିତାମାତାଙ୍କ ଘରେ ଗଇଁଠାଳ ଫିଟା ହୋଇଥିଲା। ଏହାପରେ ଚଳିତ ବର୍ଷର କନ୍ୟା ପିତାମାତାମାନେ ଆସି ବିଧି ମୁତାବକ ପୂଜାର୍ଚ୍ଚନା କରି ମାତା ପାର୍ବତୀଙ୍କୁ କନ୍ୟାଳୟକୁ ନେଇ ଯାଇଥିଲେ। ଘଣ୍ଟ, ଶଂଖ, ବାଦ୍ୟ ମଧ୍ୟରେ ଜଗତ୍ଜନନୀ ମାତା ପାର୍ବତୀ ମନ୍ଦିର ଛାଡ଼ି ନିଜ ମାତୃଳୟ ଗମନ କରିଥିଲେ। ଏହାପରେ ବିବାହ ପାଇଁ ଆଜି ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବିଭିନ୍ନ ମନ୍ଦିରରେ ରୁଦ୍ରାଭିଷେକ କରା ଯାଇଥିଲା। ଅପରାହ୍ନରୁ ପୂଜକମାନେ ଜଟାଧାରୀ ମହାଦେବଙ୍କୁ ବରବେଶରେ ସଜ୍ଜିତ କରିବା ଆରମ୍ଭ କରିଥିଲେ। ସୁନା, ରୁପାର ବିଭିନ୍ନ ଅଳଙ୍କାର, ଛତ୍ର, ପରଭାରେ ବରବେଶୀ ମହାଦେବ ମନ୍ଦିର ବାହାରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଇଥିଲେ।

ଆଜି ଯୁଗଳ ମୂର୍ତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି ଜରିଆରେ ଶାନ୍ତିଶୃଙ୍ଖଳା ଉପରେ ନଜର ରଖାଯାଉଛି ।