କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ! କୋର୍ଟଙ୍କ ତତ୍ୱାବଧାନରେ ହେବ ତଦନ୍ତ

44

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । କୋର୍ଟଙ୍କ ତତ୍ୱାବଧାନରେ ଏହି ତଦନ୍ତ ହେବ । ଏସଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ତଦନ୍ତକାରୀ ଦଳକୁ ସମସ୍ତ ତଥ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନବୀନ କହିଛନ୍ତି ଆଇନ ତା ବାଟରେ ଯିବ, ଏବଂ ବିନା ଭୟ ଓ ଚାପରେ ପୀଡିତାଙ୍କୁ ନ୍ୟାୟ ମିଳିବ । ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଂଚ ଓ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।  କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ନେଇ ପୂର୍ବରୁ ବିଚାର ବିଭାଗୀୟ ତଦନ୍ତ ଦିଆ ସରିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ ।

ତେବେ ତଦନ୍ତକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି (ସ୍ପେସାଲ ଇନଭେଷ୍ଟିଗେସନ୍ ଟିମ) ଗଠନ କରିଛନ୍ତି। ଏହି ଟିମ୍ ମାନ୍ୟବର କୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଟିମ୍ ତଦନ୍ତ କରିବ । ସେହିପରି ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ତେବେ ନାବାଳିକାଙ୍କ ମୃତ୍ୟୁ ପରେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଓ ରାଜ୍ୟର ସମସ୍ତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମାନ୍ୟବର କୋର୍ଟଙ୍କ ନିରିକ୍ଷଣରେ ତଦନ୍ତ କରି ତୁରନ୍ତ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।