ଜାନୁଆରୀ ୪ରୁ ହସ୍ତଶିଳ୍ପ ସାମଗ୍ରୀର ସମ୍ଭାର ମେଳା ‘ଶିଶିର ସରସ’

ମେଳାରେ ସମଗ୍ର ଦେଶରୁ ୨୪ଟି ରାଜ୍ୟ ଅଂଶ ଗ୍ରହଣ କରୁଥିବା ବେଳେ ମୋଟ୍ ୩୦୨ଟି ଷ୍ଟଲ ପ୍ରତିଷ୍ଠା କରାଯାଉଛି

256

କନକ ବ୍ୟୁରୋ: ଗ୍ରାମୀଣ ଉତ୍ପାଦକ, ସ୍ୱୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଦୀର୍ଘ ୨୧ ବର୍ଷ ଧରି ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମା (ଓଡିଶା ରୁରାଲ ଡେଭେଲପମେଂଟ ଆଣ୍ଡ ମାର୍କେଟିଂ ସୋସାଇଟି)ଦ୍ୱାରା ଭୁବନେଶ୍ୱରରେ ଆୟୋଜନ ହୋଇ ଆସୁଛି ‘ଶିଶିର ସରସ’ ।ଏଥର ଜାନୁଆରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଇଡକଲ ପ୍ରଦର୍ଶନୀ ପଡିଆରେ ଏହି ମେଳା ଆୟୋଜନ ହେବ । ଏଥିପାଇଁ ଓରମାସ ତରଫରୁ ପ୍ରସ୍ତୁତି ଜୋରଦାର ଚାଲିଛି ।

ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ମିଶନ ଶକ୍ତି ଏବଂ ଅନ୍ୟ ବିଭାଗୀୟ ସଂସ୍ଥା ମଧ୍ୟ ଏହି ମେଳା ଆୟୋଜନରେ ସହଯୋଗ କରୁଛନ୍ତି । ଏଥର ଶିଶିର ସରସ ମେଳାରେ ସମଗ୍ର ଦେଶରୁ ୨୪ଟି ରାଜ୍ୟ ଅଂଶ ଗ୍ରହଣ କରୁଥିବା ବେଳେ ମୋଟ୍ ୩୦୨ଟି ଷ୍ଟଲ ପ୍ରତିଷ୍ଠା କରାଯାଉଛି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ କିସମର ସାମଗ୍ରୀ କାରବାର କରାଯିବ । ଏଥିର ମେଳାରେ ଓଡିଶାର ସମସ୍ତ ଜିଲ୍ଲାରୁ ହସ୍ତଶିଳ୍ପ ସାମଗ୍ରୀ ସମେତ ଅନ୍ୟାନ୍ୟ ଘରକରଣା ଦ୍ରବ୍ୟ, ବନଜାତ ଦ୍ରବ୍ୟ ଆଦି ସ୍ଥାନ ପାଇବ । ଯେଉଁଥିରେ ରହିଛି, କେନ୍ଦ୍ରାପଡାର କବଁଚ କାମ, କୋରାପୁଟର ହସ୍ତତନ୍ତ ସାଙ୍ଗକୁ ବାଲେଶ୍ୱର ଜିଲ୍ଲା କାରିଗରଙ୍କ ଟେରାକୋଟା କାମ ବି ସ୍ଥାନ ପାଇଛି । ସେହିପରି ଆଦିବାସୀ ଅଳଙ୍କାର, ଢୋକ୍ରା କାମ, ହାତବୁଣା ଲୁଗାପଟା, କେନ୍ଦୁଝରର ଫୁଲ ବଡି, ମସଲା, ବନଜାତ ଦ୍ରବ୍ୟ, ତାମିଲନାଡୁର ରଙ୍ଗିନ ମହମବତୀ, ଉତରପ୍ରଦେଶର ସିଲ୍କ, ବନାରସୀ ଓ ଲୋକ କାମ , ଛତିଶଗଡର ଟସର, କଂସା ପିତଳ, ଆସାମର ବେତ ଏବଂ ବାଉଁଶ, ଗୁଜୁରାଟର ଘର କରଣା ସାମଗ୍ରୀର ସମ୍ଭାର ହେବ ।

ଦୀର୍ଘ ୨୧ ବର୍ଷ ହେବ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ ହେଉଥିବା ଶିଶିର ସରସ ମେଳା ସରକାରଙ୍କ ବିଭିନ୍ନ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ଅଧିନରେ ସହାୟତା ପାଇଥିବା, ସ୍ୱଂୟ ସହାୟକ ଗୋଷ୍ଠୀ. ଗ୍ରାମ୍ୟ ଉତ୍ପାଦକ ଓ କାରିଗରମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରିବଟା ପାଇଁ ଉତ୍ତମ ଏବଂ ଉପଯୁକ୍ତ ମାଧ୍ୟମ ପାଲଟିଛି । ଏଥର ଶିଶିର ସରସ ମେଳା ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ମେଳାର ପ୍ରତ୍ୟେକ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।