ଶିଶୁମନ୍ଦିର ପିଲାଙ୍କୁ ମିଳିବ ମାଗଣା ବହି ! ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦେଲା ନିର୍ଦ୍ଦେଶ

64

କନକ ବ୍ୟୁରୋ : ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନରେ ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି। ପୂର୍ବରୁ ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି। ଚଳିତ ଶିକ୍ଷାବର୍ଷଠାରୁ ସଂସ୍ଥାନ ଅଧୀନରେ ଥିବା ଶିଶୁ ମନ୍ଦିରରେ ପ୍ରଥମରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଯୋଗାଇ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ରଞ୍ଜନା ଚୋପ୍ରା ନିର୍ଦେଶ ଦେଇଛନ୍ତି।

ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଉଛି। ଏଥିପାଇଁ ୨ କୋଟି ୭୪ ଲକ୍ଷ ବହି ଛପାଯାଉଛି। ଶିକ୍ଷାବର୍ଷ ଆରମ୍ଭରୁ ପାଠପୁସ୍ତକ ଯୋଗାଇଦେବାକୁ ନିୟମ ଥିଲେ ମଧ୍ୟ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ଚଳିତ ବର୍ଷଠାରୁ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯିବ।

ଏନେଇ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଶିକ୍ଷା ବିକାଶ ସଂସ୍ଥାନ ଅଧୀନରେ ୧୦୩୭ଟି ସ୍କୁଲ ରହିଛି। ସେଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଛାତ୍ରଛାତ୍ରୀ ଓଡ଼ିଆ ମାଧ୍ୟମ ସ୍କୁଲରେ ପଢ଼ୁଛନ୍ତିି। ସେମାନଙ୍କ ମଧ୍ୟରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ରହିଛନ୍ତି। ଯେଉଁମାନଙ୍କ ପରିବାରର ଆର୍ଥିକ ସ୍ଥିତି ସେତେଟା ସୁଦୃଢ଼ ନୁହେଁ। ତାହାକୁ ଦୃଷ୍ଟିରେ ରଖି ମାଗଣା ବହି ଯୋଗାଣ କରିବାକୁ ସ୍ଥିର ହୋଇଛି।

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ବହି ଗ୍ରହଣ କରିବା ପରେ ତାହାକୁ ବିଦ୍ୟାଳୟଗୁଡ଼ିକୁ ପଠାଇବେ। ୨୦୧୭-୧୮ ଶିକ୍ଷାବର୍ଷ ପାଠପଢ଼ା ଆରମ୍ଭ ହୋଇଯାଇଛି। ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ କୁହାଯାଇଛି। ମାଗଣା ବହି ବଣ୍ଟନ ଲାଗି ରାଜ୍ୟ ବଜେଟ୍ରୁ ଅର୍ଥ ଖର୍ଚ୍ଚ ହେବ। ଆସନ୍ତାବର୍ଷଠାରୁ ପାଠ୍ୟପୁସ୍ତକ ପ୍ରକାଶନ ଏବଂ ପ୍ରଣୟନ ସଂସ୍ଥାକୁ ଏବାବଦରେ ଅର୍ଥ ପ୍ରଦାନ କରାଯିବ। ଏନେଇ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଓଡ଼ିଶା ଶାଖା। ସଂସ୍ଥାନର ଓଡ଼ିଶା ଶାଖା ସାଧାରଣ ସମ୍ପାଦକ କରୁଣାକର ପ୍ରଧାନ କହିଛନ୍ତି ଯେ, ଏହାଦ୍ୱାରା ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ସଂସ୍ଥାନ ଅଧୀନରେ ପଢ଼ୁଥିବା ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ। ପିଲାମାନେ ବହି କିଣି ପଢ଼ିପାରୁ ନାହାନ୍ତି। ବିଶେଷକରି ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଲାଗି ଏହି ନିଷ୍ପତ୍ତି ସହାୟକ ହେବ।