ନିରାପଦ ନୁହେଁ ଓଡିଶାରେ ମଧ୍ୟାହ୍ନ ଭୋଜନ ! ଖାଦ୍ୟ ସୁରକ୍ଷା କମିଶନ ସଦସ୍ୟ ଉଠାଇଲେ ୫୧ଲକ୍ଷ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ଆଶଙ୍କା

42

କନକ ବ୍ୟୁରୋ :  ଖାଦ୍ୟ କମିଶନ ଦେଇଥିବା ରିପୋର୍ଟ ଉପରେ ବି ପାଉନି ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଭରସା । ରାଜ୍ୟର ବିଭିନ୍ନ ଜିଲ୍ଲା ଯାଇ ମଧ୍ୟାହ୍ନ ଭୋଜନର ମାନ ଯାଂଚ ପରେ ଏକ ସାଂଘାତିକ ରିପୋର୍ଟ ଦେଇଥିଲେ ଖାଦ୍ୟ କମିଶନ । ଯେଉଁଥିରେ କୁହାଯାଇଥିଲା-ପିଲାଙ୍କୁ ଦିଆଯାଉଥିବା ଖାଦ୍ୟ ନିରାପଦ ନୁହେଁ । ଏମିତିକି ଏଭଳି ଖାଦ୍ୟ ଯୋଗାଉଥିବା ସଂସ୍ଥା ଏବଂ ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ହେଲେ ଏତେ ଦିନ ପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନିରାପଦର ମାନେ କ’ଣ ପଚାରୁଛନ୍ତି ମନ୍ତ୍ରୀ ।

ଖାଦ୍ୟ ନିରାପତ୍ତା ଓ ମାନ ଆଇନ ୨୦୦୬ କହୁଛି- ଜଣେ ଯଦି ଏଥିରେ ଖିଲାପ କରେ ତାକୁ ୧ ଲକ୍ଷରୁ ୨୫ ଲକ୍ଷ ଯାଏଁ ଜୋରିମାନା ଏବଂ ୬ମାସରୁ ୬ବର୍ଷ ଯାଏଁ ଜେଲଦଣ୍ଡର ବ୍ୟବସ୍ଥା ରହିଛି । କିନ୍ତୁ ଏଭଳି କଡ଼ାକଡ଼ି ଆଇନକୁ ଭୃକ୍ଷେପ ନକରି, ସ୍କୁଲ ପିଲାଙ୍କ ଖାଦ୍ୟକୁ ନେଇ ଖେଳାଯାଉଛି ଖେଳ । ସେଦିନ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଥିବା ମନ୍ତ୍ରୀ ଆଜି ପଚାରୁଛନ୍ତି-ନିରାପଦ ମାନେ କ’ଣ ?

ମଧ୍ୟାହ୍ନ ଭୋଜନ ନିରାପଦ ନୁହେଁ ବୋଲି ଖାଦ୍ୟ କମିଶନ ସ୍ପଷ୍ଟ କରିବା ପରେ ଏହାକୁ ନେଇ ରାଜନୀତି କରିବା ବଦଳରେ ଏକ ସକାରାତ୍ମକ ଦିଗରେ ଚିନ୍ତା କରି ପିଲାଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ମଧ୍ୟାହ୍ନ ଭୋଜନର ମାନ ଉପରେ ପ୍ରଶ୍ନ ଚିହ୍ନ ଲାଗିବା ପରେ ଓଡ଼ିଶା ଅଧା କୋଟି ପିଲାଙ୍କ ଭବିଷ୍ୟତର କଥା ଉଠୁଛି । ମଧ୍ୟାହ୍ନ ଭୋଜନ ପାଇଁ ଓଡ଼ିଶାର ୬୨ ହଜାର ୭୦୮ଟି ରୋଷେଇ ଶାଳ ରହିଛି ।

ଓଡ଼ିଶାର ବିଭିନ୍ନ ସ୍କୁଲରେ ପ୍ରତିଦିନ ୫୧ ଲକ୍ଷ ୪ ହଜାର ୭୯୫ ପିଲା ମଧ୍ୟାହ୍ନ ଭୋଜନ ଖାଇଥାନ୍ତି । ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ରନ୍ଧା ଖାଦ୍ୟ ଦେବା ପାଇଁ ୨୦୦୧ ମସିହାରେ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ହେଲେ ମଧ୍ୟାହ୍ନଭୋଜନର ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଓଡ଼ିଶା ଫୁଡ୍ କମିସନ । ମାଲକାନଗିରି, ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ଼, ଖୋର୍ଦ୍ଧା, ଯାଜପୁର ଜିଲ୍ଲାର ୯ଟି ସ୍କୁଲରୁ ନମୂନା ନେଇ ପରୀକ୍ଷା କରିଥିଲେ ଖାଦ୍ୟ କମିସନ୍ । ନମୂନା ପରୀକ୍ଷା ପରେ ସେଗୁଡିକ ନିମ୍ନମାନର ଏବଂ ନିରାପଦ ନୁହେଁ ବୋଲି କହିଛନ୍ତି ଖାଦ୍ୟ କମିଶନ ।