ପ୍ଲାଷ୍ଟିକ ମୁକ୍ତ ହେବ ଗାଁ : ୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ୍ ବ୍ୟବହାର

ଗ୍ରାମାଚଂଳରେ ପ୍ଲାଷ୍ଟିକ କମ ବ୍ୟବହାର ନେଇ ପଂଚାୟତରାଜ ବିଭାଗକୁ ନିର୍ଦ୍ଦେଶ

527

କନକ ବ୍ୟୁରୋ: ୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର । ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ କମ ବ୍ୟବହାର କରିବା ସହ ଉପଯୁକ୍ତ ଡିସପୋଜ ପାଇଁ ପଂଚାୟତରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଂଟ ରୁଲ ଅନୁସାରେ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ରାଜ୍ୟର ସବୁ ପୌରାଚଂଳରେ ପ୍ଲାଷ୍ଟିକ ବ୍ୟାନ ହୋଇଛି । ପ୍ରତ୍ୟେକ ଜିଲ୍ଳାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଂଟର ନିର୍ମାଣ କରାଯିବ । ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଷ୍ଟିକ ବର୍ଜ୍ୟକୁ ରାସ୍ତାକାମରେ ବ୍ୟବହାର କରିବାକୁ ପୂର୍ତ୍ତ ବିଭାଗକୁ ଦିଆଯିବ । ବିକଳ୍ପ ଭାବେ କପଡା ଓ କାଗଜ ବ୍ୟାଗ ତିଆରି କରିବେ ଡବ୍ଲୁଏସଏଚଜି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିଥିଲା ।

ଉଲ୍ଲେଖ ଥାଉ କି, ଗାନ୍ଧି ଜୟନ୍ତୀରୁ ପ୍ରଥମେ ରାଜ୍ୟର ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଡା କଡି ଭାବେ ପ୍ରତିବନ୍ଧକ ଲଗାଯାଇଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବୋତଲ, ବ୍ୟାଗ ଆଦି ନିଷେଧ କରାଯାଇଛି । ଏହାସହିତ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲା । ପୂର୍ବରୁ ଗତବର୍ଷ ଅକ୍ଟୋବର ୨ରେ ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ସମେତ ପୁରୀରେ ପ୍ଲାଷ୍ଟିକ ବ୍ୟାନ କରାଯାଇଥିଲା । ତେବେ ନିୟମ ହେବା ପରେ ଏହାକୁ କଡ଼ାକଡ଼ି ମଧ୍ୟ କରାଯାଇଥିଲା। ଏହାକୁ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।