ଭାରତୀୟଙ୍କୁ ମିଳିଲାନି ୧୫ ଲକ୍ଷ ଟଙ୍କା! ହେଲେ ଏଠାରେ ପ୍ରତ୍ୟେକ ଲୋକଙ୍କୁ ସରକାର ଦେବେ ୧୫ ହଜାର ଟଙ୍କାର ଉପହାର

46

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ନିର୍ବାଚନୀ ଭାଷଣରେ କହିଥିଲେ କି ଦେଶକୁ ଯଦି ସମସ୍ତ କଳାଧନ ଫେରି ଆସେ, ତେବେ ଗରିବଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଯିବ । ଏପରିକି ଦେଶକୁ କଳାଧନ ଆଣିବା ପାଇଁ ନୋଟବନ୍ଦୀର ଘୋଷଣା କରିଥିଲେ ମୋଦି । ଏହାପରେ ସାଧାରଣ ଲୋକ ମୋଦି ସରକାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ମାଗିଥିଲେ ମଧ୍ୟ ନିରାଶ ହୋଇଥିଲେ । ଭାରତରେ ସିନା ଲୋକଙ୍କୁ ନିରାଶ ହେବାକୁ ପଡିଲା । କିନ୍ତୁ ସିଙ୍ଗାପୁର ସରକାର ସିଙ୍ଗାପୁରବାସୀଙ୍କ ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ୨୧ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ସିଙ୍ଗାପୁର ସରକାର ବୋନସ ଦେବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ପ୍ରତ୍ୟେକ ଲୋକଙ୍କୁ ପାଖାପାଖି ୧୫,୦୦୦ ଟଙ୍କା ଦିଆଯିବ ।

ସିଙ୍ଗାପୁରରେ ଯେଉଁ ଲୋକଙ୍କ ଦରମା ୨୮.୦୦୧ ସିଙ୍ଗାପୁର ଡଲାରରୁ ଅଧିକ ତାଙ୍କୁ ୧୦ ହଜାର ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ସେହିଭଳି ଏହାଠରୁ କମ ଦରମା ପାଉଥିବା ଲୋକଙ୍କୁ ୧୫ ହଜାର ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି ସିଙ୍ଗାପୁର ସରକାର । ଏପରିକି ଯେଉଁ ଲୋକଙ୍କର ଦରମା ୧,୦୦,୦୦୦ ସିଙ୍ଗାପୁର ଡଲାରରୁ ଅଧିକ ସେମାନଙ୍କୁ ୫ ହଜାର ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ପ୍ରତ୍ୟେକ ଲୋକଙ୍କୁ ଏତେ ଟଙ୍କା ଦେବା ପଛରେ ଏକ ବଡ କାରଣ ରହିଛି ।

ସିଙ୍ଗାପୁର ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୦୧୭ ବଜେଟରେ ମୋଟ ୯.୬୧ ବିଲିୟନ ସିଙ୍ଗାପୁର ଡଲାର ଟଙ୍କା ସରପ୍ଲସ ହୋଇଛି ତେଣୁ ଲୋକଙ୍କୁ ଏଥିପାଇଁ ବୋନସ ଦିଆଯାଇଛି । ତେବେ ଯେତିକି ସରପ୍ଲସ ହୋଇଛି ସେ ସବୁ ଅର୍ଥକୁ ବୋନସରେ ଖର୍ଚ୍ଚ କରାଯିବ ନାହିଁ । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୫ ବିଲିୟନ ସିଙ୍ଗାପୁର ଡଲାର ଖର୍ଚ୍ଚ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସଂସଦରେ ଅର୍ଥମନ୍ତ୍ରୀ ହ୍ୟାଙ୍ଗ ସୁଈ କିଟ ବଜେଟ ଭାଷଣ ଦେଉଥିବା ବେଳେ ବୋନସ ପ୍ୟାକେଜ ଦେବାକୁ ଘୋଷଣା କରିଛନ୍ତି । ଏହା ସରକାରଙ୍କ ପକ୍ଷରୁ ସିଙ୍ଗାପୁରବାସୀଙ୍କୁ ଉପହାର । ଘୋଷଣା ଅନୁଯାୟୀ, ୨୦୧୮ ଶେଷ ସୁଦ୍ଧା ଏହି ଉପହାର ସମସ୍ତ ଲୋକଙ୍କୁ ମିଳବ ବୋଲି କହିଛନ୍ତି ସିଙ୍ଗାପୁର ସରକାର ।