ମୋଦିଙ୍କ ଅଧ୍ୟକ୍ଷତାରେ ସିନ୍ଧୁ ଚୁକ୍ତି ନେଇ ସମୀକ୍ଷା ବୈଠକ ଜାରି

30

କନକ ବ୍ୟୁରୋ : ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତିର ଭାଗ୍ୟ କଣ ହେବ, ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ସହ ଜଡିତ ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି । ବିଶେଷ କରି ଉରି ଆକ୍ରମଣ ପରଠାରୁ ପାକିସ୍ତାନକୁ ନେଇ ଭାରତ ଲଗାତାର କଠୋର ଆଭିମୁଖ୍ୟ ଗ୍ରହଣ କରି ଆସୁଛି । ଶନିବାର କୋଝିକୋଡରେ ପାକିସ୍ତାନକୁ କଡା ଶବ୍ଦରେ ଭର୍ତ୍ସନା କରିବା ପରେ ସିନ୍ଧୁ ସନ୍ଧି ଉପରେ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ବୈଠକ ଡାକିଛନ୍ତି ।

ଆଜି ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିର ପ୍ରଥମ ଥର ପାଇଁ ପୁର୍ନବିଚାର ହେଉଛି । ପୂର୍ବରୁ ଜଳ ସଂପଦ ମନ୍ତ୍ରାଳୟ ଏନେଇ ବୈଠକ କରି ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଇସାରିଛି । ତେଣୁ ଆଜିର ବୈଠକରେ ସିନ୍ଧୁ ସନ୍ଧିର ହାନି ଲାଭ ଉପରେ ବିଚାର କରାଯିବ। ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ, ଚେନାବ ଓ ଝେଲମ ନଦୀର ପାଣି ପାକିସ୍ତାନ ପାଇଥାଏ । ଭାରତର ବହୁଥିବା ନଦୀ ଜଳରେ ପାକିସ୍ତାନର ଅଧା ଅଂଚଳ ଜଳ ସେଚିତ ହୋଇଥାଏ। ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରେ, ତେବେ ପାକିସ୍ତାନର ଅଧା ଅଂଚଳ ମରୁଭୂମି ପାଲଟି ଯିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।