ରିମାଣ୍ଡରେ ସେଲଫି ବେବୋ ସିମରନଙ୍କ ସ୍ୱାମୀ ! ଅଧିକ ପଚରାଉଚରା ପାଇଁ ୨ ଦିନିଆ ରିମାଣ୍ଡରେ ନେଲା ବୁର୍ଲା ପୁଲିସ

122

କନକ ବ୍ୟୁରୋ : ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ଘଟଣାରେ ପୁଲିସର ଖୋଳତାଡ । ଅଧିକ ପଚରାଉଚରା ପାଇଁ ତାଙ୍କ ସ୍ୱାମୀ ରଞ୍ଜୁ ସୁନାଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି ବୁର୍ଲା ପୋଲିସ । ପଚରାଉଚରାବେଳେ ରଞ୍ଜୁ ସୁନାଙ୍କଠାରୁ ସତ ଓଗାଳିବାକୁ ଚେଷ୍ଟା କରିବ ପୁଲିସ । ଜାନୁଆରୀ ପ୍ରଥମ ସପ୍ତାହରେ ଆଲବମ ଅଭିନେତ୍ରୀ ସିମରନଙ୍କ ମୃତଦେହ ସମ୍ବଲପୁରରୁ ମହାନଦୀ ବ୍ରିଜ ତଳୁ ମିଳିଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସନ୍ଦେହ ଉପୁଜିଥିଲା । ଏହି ମୃତ୍ୟୁ ଘଟଣାରେ ସ୍ୱାମୀ ରଞ୍ଜୁ ସୁନାକୁ ପୋଲିସ ପଚରାଉଚରା ପରେ ଗିରଫ କରିଥିଲା । ଏହାପରେ ତଦନ୍ତ ଜୋରଦାର ହୋଇଥିଲା ।

ସୂଚନାଯୋଗ୍ୟ ଗତ ୩ ତାରିଖ ଦିନ ସମ୍ବଲପୁର ମହାନଦୀ ପଠାରୁ ସିମରନଙ୍କ ମୃତ ଦେହ ମିଳିଥିଲା । ଡିସେମ୍ବର ୩୧ ରାତିରେ ଘରେ ଜିରୋ ନାଇଟ୍ ସେଲିବ୍ରେସନ, ଜାନୁଆରୀ ୧ରେ ଭବାନିପାଟଣାରେ ଷ୍ଟେଜ୍ ସୋ’ କରିଥିଲେ ସିମରନ୍ । ପ୍ରୋଗ୍ରାମ ପରେ ୨ ତାରିଖ ଦିନ ଘରକୁ ଫେରୁଥିଲେ ସେଲଫି ବେବୋ । ସଂଧ୍ୟା ବେଳେ ପରିବାର ସହ କଥା ମଧ୍ୟ ହୋଇଥିଲେ । ଫୋନରେ ସ୍ୱାମୀ ଅନ୍ୟତ୍ର ବିବାହ କରୁଥିବା ନେଇ ମାଆଙ୍କୁ ଜଣାଇଥିଲେ ସିମରନ୍ । ବ୍ୟସ୍ତ ବିବ୍ରତ ଥିବାରୁ ତାଙ୍କୁ ଘରକୁ ଫେରିବାକୁ କହିଥିଲେ ମାଆ । ହେଲେ ଘରେ ପହଁଚିବା ପୂର୍ବରୁ ୩ ତାରିଖ ସକାଳେ ବୁର୍ଲା ନିକଟ ମହାନଦୀ ବ୍ରିଜ୍ ତଳୁ ମିଳିଥିଲା ସିମରନଙ୍କ ମୃତଦେହ ।