ଶିମିଳିପାଳରେ ବି ଉଡିଥିଲା କି ବୈଜୟନ୍ତ ହେଲିକପ୍ଟର? ଟ୍ୱିଟ୍ କରି ଫଟୋ ପୋଷ୍ଟ କଲେ ଅଭିଜିତ୍ ଆୟାର । ଆକାଶମାର୍ଗରୁ ଉଠାଯାଇଛି ଶିମିଳିପାଳସ୍ଥିତ ଜଳପ୍ରପାତର ଫଟୋ

56

କନକ ବ୍ୟୁରୋ: ଚିଲିକା, ପୁରୀ, କୋଣାର୍କ ପରେ ଶମିଳିପାଳ ଅଭୟାରଣ୍ୟ ଉପରେ ଉଡିଲା କି ଚପର ? ବୈଜୟନ୍ତଙ୍କ ହେଲିକପ୍ଟରରେ ବସିଥିବା ଅଭିଜିତ ଆୟାର ମିତ୍ର ଶିମିଳିପାଳ ଯାଇଥିବା ଜଣାପଡୁଛି । ଏ ନେଇ ସେ କିଛି ଫଟୋ ସେୟାର କରିବା ସହିତ ଟ୍ୱିଟ ବି କରିଛନ୍ତି । ତେଣୁ ପ୍ରଶ୍ନ ଉଠୁଛି ଶିମିଳିପାଳ ଅଭୟାରଣ୍ୟ ଉପରେ ଉଡିଛି କି ବୈଜୟନ୍ତଙ୍କ ହେଲିକପ୍ଟର ? ନିଜ ଟ୍ୱିଟରେ ଅଭିଜିତ ଶିମିଳିପାଳର ସୌନ୍ଦର୍ଯ୍ୟକୁ ଅଷ୍ଟ୍ରିଆର ସୁନ୍ଦର ହ୍ରଦ ସହ ତୁଳନା କରିଛନ୍ତି । ଫଟୋ ଦ୍ୱାରା ଶିମିଳିପାଳର ସୁନ୍ଦର ଦୃଶ୍ୟକୁ ବର୍ଣ୍ଣନା କରାଯାଇପାରିବ ନାହିଁ ବୋଲି ଦର୍ଶାଇଛନ୍ତି । ତେଣୁ କୋଣାର୍କ, ପୁରୀ ପରେ ଶିମିଳିପାଳ ଅଭୟାରଣ୍ୟରେ ଚପର ଉଡିବା ସନ୍ଦେହ ଘନୀଭୂତ ହୋଇଛି ।

 

ତେବେ ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡିବା ପ୍ରସଙ୍ଗରେ ଆଉ ଏକ ମାମଲା ରୁଜୁ କଲା ପୋଲିସ । ଚିଲିକା ପରିବେଶ ଓ ପର୍ଯ୍ୟଟନ ମହାଂସଘର ଏତଲା ଆଧାରରେ ଏହି ମାମଲା ହୋଇଛି । ଗତ ୧୫ ତାରିଖରେ ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡିବା ସମ୍ପର୍କରେ ଅରଖକୁଦା ମେରାଇନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଏହିଦିନ ସକାଳ ୯ଟା ୧୩ ମିନିଟ ସମୟରେ ଧଳାରଙ୍ଗର ଏକ ହେଲିକପ୍ଟର ମୀର୍ଜାପୁର ଗ୍ରାମ ସାମ୍ନାରେ ଏତେ ନିକଟବର୍ତୀ ହୋଇଥିଲା ଯେ ତାହା ଚିଲିକା ପାଖରେ ନିକଟବର୍ତୀ ହୋଇଥିଲା ବୋଲି ମନେହୋଇଥିଲା । ଏହା ଚିଲିକା ପରିବେଶ ଉପରେ କୁପ୍ରଭାବ ପକାଇଥିଲା । ଏଭଳି ଘଟଣା ଇତିହାସରେ କେବେ ହୋଇନଥିବା ଏଥିରେ ଦର୍ଶାଯାଇଥିଲା ।

ସେପଟେ ବିମାନ ଉଡିବା ଘଟଣାର ଡିଜିସିଏ ତଦନ୍ତ କରିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ । ଚିଲିକାରେ ବୈଜୟନ୍ତ ହେଲିକପ୍ଟର ଉଡିଥିଲା କି ନାହିଁ ବ୍ଲାକବକ୍ସ ତଦନ୍ତରୁ ଜଣାପଡିବ । ଚିଲିକାରେ କେତେ କିଲୋମିଟର ଉପରେ ଉଡୁଥିଲା ତାହାର ତଦନ୍ତ କରିବେ । ଭୁବନେଶ୍ୱରରୁ ମାତ୍ର ୧୫ ମାଇଲ ଦୂରତା ପର୍ଯ୍ୟନ୍ତ ରାଡାର ନଜରରେ ଆସିଥାଏ । ଏବଂ ଏହାଠାରୁ ଅଧିକ ଦୂରକୁ ଚାଲିଗଲେ ରାଡାରରେ ଜଣାପଡେ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।