ଶିିକ୍ଷା ସହାୟକଙ୍କ କଥା ମାନିଗଲେ ସରକାର ! ୬ ବର୍ଷ ଚାକିରି କଲେ ହେଲେ ନିୟମିତ, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

86

କନକ ବ୍ୟୁରୋ : ୬ବର୍ଷ ଚାକିରି କଲେ ନିୟମିତ ହେବେ ଶିକ୍ଷା ସହାୟକ । ଏନେଇ ସରକାର ବିଧିବଦ୍ଧ ନିଷ୍ପତି ନେଇଛନ୍ତି ଓ ଖୁବଶୀଘ୍ର ଚିଠି କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ଏପରିକି ଯେଉଁଦିନ ଶିକ୍ଷା ସହାୟକ ୬ବର୍ଷ ପୂରଣ କରିବେ ସେହିଦିନଠାରୁ ନିୟମିତ ଶିକ୍ଷକ ହେବେ ବୋଲି ସେ କହିଛନ୍ତି । ସେହିପରି ଶିକ୍ଷା ସହାୟକମାନଙ୍କ ନାମ ପରିବର୍ତନ କରି ଜୁନିଅର ଟିଚର କଂଟ୍ରାକ୍ଟ ହେବ ବୋଲି ବଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ସେମାନଙ୍କ ଦରମା ବୃଦ୍ଧି ହେବ । କିନ୍ତୁ ରାଜ୍ୟ ୪୦ ପ୍ରତିଶତ ଓ କେନ୍ଦ୍ର ସରକାର ୬୦ ପ୍ରତିଶତ ଦରମା ବହନ କରିବେ । ଚାକିରି ସମୟରେ ଶିକ୍ଷା ସହାୟକଙ୍କ ମୃତ୍ୟୁ ହେଲେ ପରିବାରକୁ ୨ଲକ୍ଷ ଟଙ୍କା ଓ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଗଲେ ଦେଢଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ।

ଗତ କିଛିଦିନ ଧରି ଶିକ୍ଷା ସହାୟକ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ କିଛିଦିନର ଆନ୍ଦୋଳନ ପରେ ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଗୋଟିଏ ଗୋଷ୍ଠୀ ଦାବି ପାଇଁ ଆନ୍ଦୋଳନ ଜାରି ରଖିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଆନ୍ଦୋଳନ ଭଙ୍ଗ କରି ଏଥିରୁ ଓହରି ଯାଇଥିଲା । ଯାହାକୁ ନେଇ ରାଜନୀତି ଜୋର ଧରିଥିଲା ।