ପାକିସ୍ତାନକୁ ଶିଖ୍ ମାନଙ୍କ ଚେତାବନୀ । କର୍ତ୍ତାରପୁର ଖୋଲିଲ ଧନ୍ୟବାଦ, କିନ୍ତୁ ଭାରତ ବିରୋଧୀ ଖେଳ ଚଳିବ ନାହିଁ ।

482

କର୍ତ୍ତାରପୁର କରିଡର ଖୋଲିବା ପରେ ପାକିସ୍ତାନ ଭାରତରୁ ଯାଉଥିବା ଶିଖ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଭାରତ ବିରୋଧୀ ପ୍ରଚାର କରିବାକୁ ଉଦ୍ୟମ କରୁଛି । କିନ୍ତୁ ଏହାର କଡା ଜବାବ ଦେଇଛନ୍ତି ଶିଖ ତୀର୍ଥଯାତ୍ରୀ । ଆମେ ଏଠାକୁ ତୀର୍ଥ ଯାତ୍ରାରେ ଆସିଛୁ, କିନ୍ତୁ ଭାରତ ବିରୋଧରେ କୌଣସି ଅପପ୍ରଚାର କଲେ ତାହାକୁ ସହ୍ୟ କରିବୁ ନାହିଁ ବୋଲି ସେମାନେ କହିଛନ୍ତି ।

ଏହି କରିଡର ଖୋଲିବା ବାହାନାରେ ପାକିସ୍ତାନ ଭାରତର ପଞ୍ଜାବରେ ପୁଣି ଥରେ ଆତଙ୍କବାଦକୁ ପ୍ରେତ୍ସାହିତ କରିବାକୁ ଚାହୁଁଛି । କର୍ତ୍ତାରପୁର ଖୋଲିଥିବାରୁ ଶିଖ ସଂପ୍ରଦାୟ ପାକିସ୍ତାନ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଦେଉଛନ୍ତି । କିନ୍ତୁ ଏହି ବାହାନାରେ ପାକିସ୍ତାନର ଗୋପନ ଖେଳକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଲୁଧିଆନାର ମନଜିତ ସିଂ ।

ସୂଚନାଯୋଗ୍ୟ ଯେ ପାକିସ୍ତାନର କର୍ତ୍ତାରପୁରଠାରେ ଥିବା ଗୁରୁଦ୍ୱାର ଦରବାର ସାହେବରେ ଶିଖଧର୍ମ ପ୍ରତିଷ୍ଠାତା ଗୁରୁନାନକ ନିଜର ଶେଷ ସମୟ କଟାଇଥିଲେ । କର୍ତ୍ତାରପୁର କରିଡର ଭାରତରେ ଥିବା ଡେରା ବାବା ନାନକ ସାହେବ ସହ ପାକିସ୍ତାନରେ ଥିବା ଗୁରୁଦ୍ୱାରା ଦରବାର ସାହେବକୁ ସଂଯୋଗ କରୁଛି । କିନ୍ତୁ ଏହି କରିଡର ଖୋଲିବା ବାହାନାର ପାକିସ୍ତାନ ନିଜର ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି । ଶିଖ ଲୋକମାନଙ୍କ ମଧ୍ୟରେ ଖଲିସ୍ଥାନୀ ଆନ୍ଦୋଳନକୁ ପୁଣି ଥରେ ଉଦଜୀବିତ କରିବାକୁ ଆଇଏସଆଇ ଷଡ଼ଯନ୍ତ୍ର କରୁଛି । କର୍ତ୍ତାରପୁର ସାହେବ ପରିସରରେ ଭାରତର ଏକ ବୋମାକୁ ପ୍ରଦର୍ଶନ କରାଯାଉଛି । ବିଜ୍ଞାପନରେ ଖଲିସ୍ଥାନୀ ଆତଙ୍କବାଦୀ ଭିନ୍ଦ୍ରେଓ୍ଵାଲାର ଫଟୋ ରହିଛି । ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।