ଭଟ୍ଟ ବ୍ୟାନରରେ ସିଦ୍ଧାର୍ଥ, ଆଶିକୀ-୩ ରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ

30

ବଲିଉଡ ପ୍ରୋଡ୍ୟୁସର ମୁକେଶ ଭଟ୍ଟଙ୍କ ଆଗାମୀ ଫିଲ୍ମ ଆଶିକୀ-୩ରେ ନଜର ଆସୁଛନ୍ତି ସିଦ୍ଧାର୍ଥ ଓ ହାଇୱେ ଅଭିନେତ୍ରୀ ଆଲିଆ ଭଟ୍ଟ । ଲଗାତାର ଭାବେ ସିନେମାରେ ନଜର ଆସିଥିବା ସିଦ୍ଧାର୍ଥଙ୍କ ‘ଏ ଜେଣ୍ଟଲମ୍ୟାନ’, ‘ଇତ୍ତେଫାକ’ ଓ ‘ଅୟାରୀ’ ବକ୍ସ ଅଫିସରେ କମାଲ କରିପାରି ନଥିଲା । ଏହି ଫିଲ୍ମ ଜରିଆରେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଓ ‘କପୁର ଆଣ୍ଡ ସନ୍ସ’ ପରେ ପୁଣି ଏକାଠି ଆସୁଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଏବଂ ଆଲିଆ ଭଟ୍ଟ । ପ୍ରଥମ ମ୍ୟୁଜିକାଲ-ରୋମାଣ୍ଟିକ-ଡ୍ରାମା ଫିଲ୍ମ ଆଶିକୀ ରିଲିଜ ହୋଇଥିଲା ୧୯୯୦ ମସିହାରେ ଏବଂ ଧମାକା କରିଥିଲା ବକ୍ସ ଅଫିସରେ । ଏହା ବାଦ ୨୦୧୩ ରେ ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏବଂ ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ଅଭିନୀତ ଆଶିକୀ-୨ ଆସିଥିଲା । ଏହାର ବଡ ସଫଳତା ପରେ ମୋହିତ ସୁରୀ ତୃତୀୟ ଥର ପାଇଁ ଆଣୁଛନ୍ତି ଆଶିକୀକୁ ।

ପ୍ରଥମ ଥର ପାଇଁ ସିଦ୍ଧାର୍ଥ, ଭଟ୍ଟ ବ୍ୟାନରରେ କାମ କରିବା ପାଇଁ ଯାଉଛନ୍ତି । ସିଦ୍ଧାର୍ଥ ଏହି ବିଷୟରେ କହିଛନ୍ତି, ‘ଆମେ ସମସ୍ତେ ଏହି ଚଳଚ୍ଚିତ୍ରର ଅପେକ୍ଷାରେ ଅଛୁ । ଏଥିରେ କିଛିଟା ବିଳମ୍ବ ହେଉଛି କାରଣ ପ୍ରଥମେ ଲେଖକ ଏବଂ ପ୍ରଯୋଜକଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିବା ଆବଶ୍ୟକ । ଏହା ମୋ ପାଇଁ ମଧ୍ୟ ରହସ୍ୟ ରହିଛି। ତେବେ ଚଳଚ୍ଚିତ୍ରକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ମୁଁ ପ୍ରଥମ ଥର ପାଇଁ ଭଟ୍ଟ ବ୍ୟାନରରେ କାମ କରିବା ପାଇଁ ଯାଉଛି।’ ତେବେ ଖବର ରହିଛି ଏହି ଚଳଚ୍ଚିତ୍ର ପାଇଁ ସିଦ୍ଧାର୍ଥ ଓ ଆଲିଆ ଭଟ୍ଟଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଇଛି । ଦୁହେଁ ଏକା ସାଙ୍ଗରେ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ସେଥିପାଇଁ ଦର୍ଶକ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ଏହି ସିନେମାକୁ ।