ବିଲ୍ ପାଇଁ ବିଜୁଳି କଟିଲା, ବନ୍ଦ ହୋଇଗଲା ପାଣି । ବକେୟା ବିଲ୍ ଦେଇନଥିବାରୁ ପାନୀୟ ଜଳ ପ୍ରକଳ୍ପରୁ ବିଦୁତ୍ କାଟିଲା ସେସୁ, ୪ ଦିନ ହେଲା ପାଣି ପାଇଁ ଲୋକେ ଡହଳ ବିକଳ ।

247

କନକ ବ୍ୟୁରୋ : ପାୱାର କଟର ସାଇଡ ଇଫେକ୍ଟ । ବକେୟା ବିଜୁଳି ବିଲ୍ ପୈଠ ନକରିବାରୁ ସେସୁ ପକ୍ଷରୁ ବିଜୁଳି କଟା ଅଭିଯାନ ଜାରି ରହିଛି । ୯ଟି ଜିଲ୍ଲାରେ ସେସୁ କର୍ମଚାରୀ ହଜାର ହଜାର ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଥିବା ବେଳେ ଏବେ ସାମନାକୁ ଆସିଛି ଏହାର ପାଶ୍ୱର୍ ପ୍ରତିକ୍ରିୟା ।

ପାଣି ପାଇଁ ଧାଡି । ପିଇବା ପାଣି ପାଇଁ ଲାଗିଛି ଲମ୍ବା ଲାଇନ୍ । ହାଣ୍ଡି, ମାଠିଆ ଧରି ଧାଡି ଲଗାଇଛନ୍ତି ମହିଳା । ୪ ଦିନ ହେଲା ଏଭଳି ସ୍ଥିତି । ଗାଁ ମୁଣ୍ଡ ନଳକୂପ ଆଗରେ ଜମୁଛି ପିଇବା ପାଣି ପାଇଁ ଭିଡ । ଆଉ ଏହି ଅଦିନିଆ ଭିଡ ପଛରେ ରହିଛି, ସେସୁର ବିଜୁଳି କାଟ୍ ଅଭିଯାନର ସାଇଡ୍ ଇଫେକ୍ଟ ।

ସେସୁ କାଟିଦେଲା ବିଜୁଳି, ପାଣି ପାଇଁ ଡହଳ ବିକଳ । ଢେଙ୍କାନାଳ ଜିଲ୍ଲା ଭୁବନର କୀର୍ତନପୁର । ଗାଁରେ ୨୦୧୪ରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପିଇବା ପାଣି ଯୋଗାଇ ଦିଆଯାଉଛି । ତେବେ ଚାରି ଦିନ ତଳେ ବିଜୁଳି କାଟି ଦେଇଛି ସେସୁ । କାରଣ, ବିଜୁଳି ବିଲ୍ ବାବଦରେ ୨୦ ହଜାରରୁ ଅଧିକ ଟଙ୍କା ବକେୟା ରହିଛି । ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯିବା ପରେ ପାନୀୟ ଯୋଗାଣ ପ୍ରକଳ୍ପ ଏକପ୍ରକାର ଅଚଳ ହୋଇପଡିଛି । ଏବଂ ଗ୍ରାମବାସୀ ବାଧ୍ୟ ହୋଇଛନ୍ତି ପୁରୁଣା ନଳକୂପର ପାଣି ପିଇବାକୁ ।

ଗାଁରେ ରହୁଛନ୍ତି ପ୍ରାୟ ୫ ଶହ ପରିବାର । ୬ ବର୍ଷ ହେଲା ଷ୍ଟାଣ୍ଡପୋଷ୍ଟରେ ପିଇବା ପାଣି ମିଳୁଥିଲା । ଫଳରେ କୂଅ ପରିତ୍ୟକ୍ତ ହୋଇ ପଡିଛି ଏବଂ ନଳକୂପରୁ ବାହାରୁଛି ମଇଳା ପାଣି । ଏଭଳି ସ୍ଥିତିରେ ଲୋକେ ବାଧ୍ୟହୋଇ ମଇଳା ପାଣି ପିଉଛନ୍ତି । ଅପେକ୍ଷା କରିଛନ୍ତି କେତେ ଶୀଘ୍ର ବକେୟା ଟଙ୍କା ପୈଠ ହେବ ଏବଂ ପାଇପରେ ଆସିବ ପିଇବା ପାଣି ।