ପାଗଳପଣର ସୀମା ଲଙ୍ଘିଲା ବାପା ! ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବା ପାଇଁ ୬ମାସର ଝିଅକୁ କୋଠାରୁ ଓଲଟା ଟାଙ୍ଗି ଫଟୋ କଲା ପୋଷ୍ଟ।

57

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । କେତେବେଳେ ନିଜ ଜୀବନକୁ ବାଜି ଲଗାଇ ତ ଆଉ କେତେବେଳେ ଅନ୍ୟ କାହା ଜୀବନକୁ ବାଜି ଲଗାଇ ସୋସିଆଲ ମିଡିଆରେ ନାଁ କମାଇବାର ନିଶା ଦେଖିବାକୁ ମିଳିଥାଏ । ଏଭଳି ଏକ ଘଟଣା ଋଷର ସାଇବେରିଆରେ ଘଟିଛି । ତେବେ ଘଟଣାଟି ଯେତିକି ଆଶ୍ଚର୍ୟ୍ୟକର ସେତିକି ମଧ୍ୟ ହୃଦୟବିଦାରକ ଅଟେ ।
ଜଣେ ବାପା ନିଜର ୬ ମାସର ଝିଅକୁ ନିଜ ଷ୍ଟଂଟରେ ବାଜି ଲଗାଇ ଦେଇଛି । ଶିଶୁଟିକୁ ତାର ବାପା କେତେବେଳେ ଅଟ୍ଟାଳିକା ଉପରୁ ତଳକୁ ଓଲଟା ଟାଙ୍ଗି ଦିଅନ୍ତି ତ ପୁଣି କେତେବେଳେ ଚଳନ୍ତା କାରରୁ ତଳକୁ ଓଲଟା ଟାଙ୍ଗି ପକାନ୍ତି । ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଲା ଏସବୁର ଫଟୋ ଉଠାଇ ତାକୁ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପସନ୍ଦ ରଖନ୍ତି ଉକ୍ତ ବ୍ୟକ୍ତି ଜଣକ ।

ପୁଲିସ ଉକ୍ତ ବ୍ୟକ୍ତି ଜଣକୁ ଗିରଫ ମଧ୍ୟ କରିଛି । ବ୍ୟକ୍ତି ଜଣକ ହେଲେ ସାଇବେରିଆରେ ରହୁଥିବା ରୋମନ ଆର । ରୋମନ ସୋସିଆଲ ମିଡିଆରେ ନିଜର ବିପଦପୂର୍ଣ୍ଣ ଷ୍ଟଂଟମାନଙ୍କର ବହୁତଗୁଡିଏ ଫଟୋ ଅପଲୋଡ କରିଛନ୍ତି । ଖାଲି ସେତିକି ନୁହେଁ ନିକଟରେ ରୋମନ ସୋସିଆଲ ମିଡିଆରେ ‘ନୋ ସିଟ୍ ଟାଇଟଲ୍’ ନାମରେ ଏକ ଭିଡିଓ ଅପଲୋଡ କରିଥିଲେ । ଆଉ ଏହି ଭିଡିଓଟିରେ ତାଙ୍କର ୬ ମାସର ଝିଅକୁ ଚଳନ୍ତା କାରରୁ ଓଲଟା ଟାଙ୍ଗିଥିବାର ଦୃଶ୍ୟ ରହିଥିଲା । ଏଥିସହିତ ଗୋଟିଏ ହାତରେ ଝିଅକୁ ଓଲଟା ଟାଙ୍ଗି ଅନ୍ୟ ହାତରେ ଗାଡି ଚଳାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଇବେରିଆ ପୁଲିସ ମାମଲାର ଯାଞ୍ଚ କରିବା ସହିତ ରୋମନକୁ ଗିରଫ କରିଥିଲା । ସୋସିଆଲ ମିଡଆରେ ରୋମନଙ୍କୁ ଦଣ୍ଡ ଦେବାର ଦାବି କରାଯାଉଛି । କିଛି ଲୋକେ ମଧ୍ୟ ରୋମନଙ୍କ ଏଭଳି କାଣ୍ଡ ପାଇଁ ତାଙ୍କୁ ପାଗଳ ତଥା ମାନସିକ ରୋଗୀ ବୋଲି ସମାଲୋଚନା କରିଛନ୍ତି ।