ତ୍ରିପୁରାର ବଦଲା ପଶ୍ଚିମବଙ୍ଗରେ । କୋଲକାତାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଙ୍ଗା ଗଲା ମୂର୍ତ୍ତି

25

କନକ ବ୍ୟୁରୋ : ତ୍ରିପୁରା ନିର୍ବାଚନରେ ବିଜେପିର ବିଜୟ ପରେ ଲେନିନଙ୍କ ପ୍ରତିମୁର୍ତି ଭଙ୍ଗା ଯାଇଥିଲା । ଏବେ ପୁଣି ଥରେ କୋଲକାତାରେ ଥିବା ଶ୍ୟାମପ୍ରସାଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦିଆଯାଇଛି । ସୁଚନା ଅନୁସାରେ ଟଲିଗଂଜ ନିକଟରେ ଥିବା କେବାଇସି ପାର୍କରେ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପ୍ରତିମୂର୍ତ୍ତି ରହିଥିଲା । ତେବେ ଏହାକୁ ଭାଙ୍ଗିଛନ୍ତି କିଛି ଦୁର୍ବୃତ୍ତ । ଏନେଇ କୋଲକାତା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ଏହି ଘଟଣାରେ ଜାଧବପୁର ବିଶ୍ୱବିଦ୍ୟାଳୟର ୬ଜଣ ଛାତ୍ରଙ୍କ ବିରୋଧରେ ଅଭିଯୋଗ ହେବା ସହ ଗିରଫ କରିଛି ପୋଲିସ । ମୁର୍ତ୍ତି ଭାଙ୍ଗିବା ପରେ ଘଟଣା ସ୍ଥଳରେ ଏକ ପୋଷ୍ଟର ଛାଡ଼ିଯାଇଛନ୍ତି ଦୁର୍ବୃତ୍ତ । ଏହି ପୋଷ୍ଟରରେ ଲେନିନ୍ଙ୍କ ପ୍ରତିମୁର୍ତି ଭାଙ୍ଗିବାର ଏହା ବଦଲା ବୋଲି ଉଲ୍ଲେଖ ହୋଇଛି ।

ସୂଚନାଯୋଗ୍ୟ,ବେଲୋନାରେ ଥିବା ଲେନିନଙ୍କ ପ୍ରତିମୂର୍ତିକୁ ବୁଲଡୋଜର ଚଲାଇ ଭାଙ୍ଗି ଦେଇଥିଲେ ବିଜେପି ସମର୍ଥକ । ପାଂଚ ବର୍ଷ ତଳେ ଏହାକୁ ନିର୍ମାଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ସିପିଏମ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।

୨୫ ବର୍ଷର ବାମପନ୍ଥୀ ଦୁର୍ଗ ହଟିବା ପରେ ତ୍ରିପୁରାରେ ଆରମ୍ଭ ହୋଇଥିଲା ଗୈରିକ ଯୁଗ । ପ୍ରଥମ ଟାର୍ଗେଟ ହୋଇଥିଲା ଲେନିନଙ୍କ ପ୍ରତିମୂର୍ତ୍ତି । ଭାରତ ମାତା କୀ ଜୟ ଧ୍ୱନୀ ଦେଇ ବେଲୋନାରେ ଥିବା ଲେନିନଙ୍କ ପ୍ରତିମୂର୍ତିକୁ ବୁଲଡୋଜର ଚଲାଇ ଭାଙ୍ଗିଦିଆଯାଇଥିଲା । ଏହି ଦୃଶ୍ୟ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ ।