ଠପ୍ ହୋଇଗଲା ରାଜଧାନୀ ସମେତ ୩ ସହର, ପୂରା ସହର ଶୂନ୍‌ଶାନ୍‌ । ଗାଡ଼ି ଗଡ଼ିଲାନି, କି ଲୋକଙ୍କ ଯିବାଆସିବା ବି ନାହିଁ ।

255

କନକ ବ୍ୟୁରୋ : ପୂରା ୨୪ ଘଣ୍ଟା ସଟ୍‌ଡାଉନ୍ ହୋଇଗଲା ରାଜଧାନୀ ଭୁବନେଶ୍ୱର । ଗାଡ଼ି ଗଡ଼ିଲାନି, କି ଲୋକଙ୍କ ଯିବାଆସିବା ବି ନାହିଁ । କାଁ ଭାଁ ହାତଗଣତି କିଛି ଅମାନିଆ ନିୟମ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା । ଯେଉଁ ସହର ରାତି ପାହିଲା ବେଳକୁ ଘୋ ଘୋ ଗର୍ଜନ କରୁଥାଏ, ସେ ସହର ପୂରା ଖାଁ ଖାଁ ହୋଇଯାଇଥିଲା । ଯେତିକି ଗଡୁଥିଲା, ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଇତ୍ୟାଦି । ଅନୁରୂପ ପରିସ୍ଥତି ସୃଷ୍ଟି ହୋଇଥିଲା କଟକ ସହର ଓ ଭଦ୍ରକରେ ମଧ୍ୟ । ଏ ଦୁଇ ସହର ବି ପୂରା ବନ୍ଦ ହୋଇଯାଇଥିଲା । କେବଳ ଏହି ତିନିଟି ସହର ନୁହେଁ, ଗତକାଲି ରାତିରେ ପୁରୀ ଓ ଯାଜପୁରରେ କରୋନା ସଂକ୍ରମିତ ଚିହ୍ନଟ ପରେ ସେଠାରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ପିପିଲି ଦାନଗହୀର, ଜୟପୁର ଛକ ଓ ଜୟପୁର ଶାସନ ଛକ ସଂଲଗ୍ନ ଅଞ୍ଚଳକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ୪ ତାରିଖରୁ ୧୪ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସେ ଅଞ୍ଚଳରୁ ନା ଲୋକ ବାହାରକୁ ଆସିପାରିବେ ନା ସେ ଅଞ୍ଚଳକୁ କେହି ଯାଇପାରିବେ ନାହିଁ । ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଉପ ଜିଲ୍ଲାପାଳଙ୍କ ଟିମ୍‌ ଜରିଆରେ ଲୋକେ ପାଇପାରିବେ । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ  ।

ଡିଜିପି କହିଲେ ସଟ୍‌ଡାଉନ୍‌ ସଫଳ ହୋଇଛି
କିଛି ଲୋକ କିନ୍ତୁ ମାନୁନାହାନ୍ତି ଲକ୍‌ଡାଉନ୍‌
୧୦ ଦିନରେ ୨୭୦୦ ମାମଲା, ୨୪୦୦ ଗିରଫ
୪୦୦୦ ଗାଡ଼ି ଜବତ କରିସାରିଲେଣି ପୁଲିସ

ସେହିଭଳି ଯାଜପୁର ପୌରାଞ୍ଚଳ, ବ୍ୟାସନଗର ପୌରାଞ୍ଚଳ, ଚଣ୍ଡିଖୋଲ ଛକ, ପାଣିକୋଇଲି ଛକ ଓ ଆପପାଖ ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ । ଏହାଛଡ଼ା ସମସ୍ତ ବ୍ଲକ୍‌ ମୁଖ୍ୟାଳୟ, ବ୍ରହ୍ମବରଦା, ନେଉଳପୁର, ଚାରିନଙ୍ଗଳ, ସାଧବପୁରକୁ ମଧ୍ୟ ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଆଜି ରାତି ୮ଟାରୁ ୬ ତାରିଖ ରାତି ୮ଟା ଯାଏ ଏହି ନିୟମ କଡ଼ାକଡ଼ି ରହିବ ।

ଆଜି ପୁଲିସ ମହାନିର୍ଦେଶକ ଅଭୟ ନିଜେ ଗଣମାଧ୍ୟମକୁ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ସଟ୍‌ଡାଉନ୍ ସଫଳ ହୋଇଛି । ଏହି ତିନି ସହରର ବାସିନ୍ଦାମାନେ ସଟ୍‌ଡାଉନ୍‌ ନିୟମକୁ ପାଳନ କରିଛନ୍ତି । ଏଥିଲାଗି ସହର ବାସିନ୍ଦା ଓ ଅକ୍ଳାନ୍ତ ପରିଶ୍ରମ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ପୁଲିସ ମହାନିର୍ଦେଶକ । ସେହିଭଳି କରୋନା ମୁକାବିଲାର ଏକମାତ୍ର ବାଟ ସାମାଜିକ ଦୂରତ୍ୱ ହୋଇଥିବା ବେଳେ ଲକ୍‌ ଡାଉନ୍‌କୁ ସଫଳ କରିବା ପାଇଁ ପୁଲିସ ଦିନରାତି କାମ କରି ଚାଲିଛି ବୋଲି ସେ କହିଥିଲେ । ଗୀତଗୋବିନ୍ଦ ଭବନରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ କହିଥିଲେ ଯେ ଲକ୍‌ ଡାଉନ୍‌କୁ ୧୦ ଦିନ ବିତି ଯାଇଛି । ୯୦ ପ୍ରତିଶତ ଲୋକ ମାନୁଥିବା ବେଳେ ୧୦ ପ୍ରତିଶତ ଅମାନିଆ ହେଉଛନ୍ତି । ଅମାନିଆ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଗତ ୧୦ ଦିନ ଭିତରେ ରାଜ୍ୟର ବିଭିନ୍ନ ଥାନାରେ ଲକ ଡାଉନ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ୨୭୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ୨୪୦୦ରୁ ଅଧିକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ପ୍ରାୟ ୪ ହଜାରରୁ ଅଧିକ ଗାଡ଼ି ମଧ୍ୟ ଜବତ କରାଯାଇଛି । ଲକ୍‌ ଡାଉନ୍‌ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ୩ ତାରିଖ ସକାଳୁ ୪ତାରିଖ ସକାଳ ଭିତରେ ଲକ୍‌ ଡାଉନ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ୨୪୫ଟି ମାମଲା ରୁଜୁ ହୋଇଛି । ଗୃହ ସଂଗରୋଧ ଆଇନ ଭାଙ୍ଗିବା ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଛି । ସେହିପରି କରୋନା ସଂକ୍ରାନ୍ତୀୟ ଆଉ ୧୨ଟି ମାମଲା ରୁଜୁ ହୋଇଛି । ଲକ୍‌ ଡାଉନ୍‌ ସମୟରେ ଘରେ ରହି ପୁଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିଜିପି ଅଭୟ । ଖରା, ବର୍ଷାରେ ଦିନରାତି କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀ, ଅଧିକାରୀ, ସବୁ ଜିଲ୍ଲାର ଏସ୍‌ପି, କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ କରୋନା ଚେନ୍ ଭାଙ୍ଗିବା ଲାଗି ରାଜ୍ୟ ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି । ବିନା କୌଣସି ବିଶୃଙ୍ଖଳାରେ ଲୋକେ ସରକାରଙ୍କ ନିର୍ଦେଶକୁ ମାନି ଘରେ ରହିଯାଇଥିଲେ ଓ ବ୍ୟବସ୍ଥା ପୂରା ଅଟକିଯାଇଥିଲା । ସରକାର ଗତକାଲି ସଟଡାଉନକୁ କର୍ଫ୍ୟୁ ଭଳି ପରିସ୍ଥିତି ବୋଲି ଶୁକ୍ରବାର ସୂଚାଇଥିଲେ । ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ ।