ଆତଙ୍କକୁ କଡା ଜବାବ : କାଶ୍ମୀରରେ ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରୀଙ୍କ ଅନ୍ତିମ ଦର୍ଶନରେ ସାମିଲ ହେଲେ ହଜାର ହଜାର ଲୋକ

30

କନକ ବ୍ୟୁରୋ : ଆତଙ୍କବାଦକୁ କଡା ଜବାବ । ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରୀଙ୍କ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଛି । ବାରାମୁଲ୍ଲା ସ୍ଥିତ ତାଙ୍କ ବାସଭବନରେ ସମ୍ପର୍କୀୟଙ୍କ ସମେତ ହଜାର ହଜାର କଶ୍ମିରୀ ସାମିଲ ହୋଇଛନ୍ତି । ଅନ୍ତିମ ବିଦାୟ ଦେବା ପାଇଁ ଲୋକଙ୍କ ଭିଡ ଜମିଛି । ବର୍ଷା ସତ୍ୱେ ତାଙ୍କ ଶବ ଶୋଭାଯାତ୍ରାରେ ଲୋକେ ସାମିଲ ହୋଇଥିଲେ । ସୁଜାତ ବୁଖାରୀଙ୍କ ଶେଷକୃତ୍ୟରେ ସାମିଲ ହୋଇ କାଶ୍ମୀର ଘାଟିର ଜନସାଧାରଣ ଆତଙ୍କବାଦକୁ କଡା ଜବାବ ଦେଇଛନ୍ତି । ବୁଖାରୀଙ୍କ ଶେଷକୃତ୍ୟରେ ସାମିଲ ହୋଇ ତାଙ୍କ ପୈତୃକ ଗାଁ ପର୍ଯ୍ୟନ୍ତ ରାଜନେତା ମଧ୍ୟ ଯାଇଥିଲେ । ଉମର ଅବଦୁଲ୍ଲାଙ୍କ ସହ ପିଡିପି ଓ ବିଜେପି ମନ୍ତ୍ରୀ ମଧ୍ୟ ସୁଜାତ ବୁଖାରୀଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ ।

ସେପଟେ କାଶ୍ମୀରରେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ସନ୍ଦିଗ୍ଧର ଫଟୋ ଜାରି କରିଛି ଜମ୍ମୁକାଶ୍ମୀର ପୁଲିସ । ଘଟଣାସ୍ଥଳର ସିସିଟିଭି ଫୁଟେଜ ଆଧାରରେ ୩ସନ୍ଦିଗ୍ଧର ଫଟୋ ଜାରି କରାଯାଇଛି । ୩ଜଣ ସନ୍ଦିଗ୍ଧ ଆତଙ୍କବାଦୀ ବାଇକରେ ଆସି ବରିଷ୍ଠ ପତ୍ରକାର ସୁଜାତ୍ ବୁଖାରୀଙ୍କୁ ଗୁଳିକରି ଫେରାର ହୋଇଯାଇଛନ୍ତି । ଗତକାଲି ‘ରାଇଜିଂ କାଶ୍ମୀର’ର ଏଡିଟର୍ ତଥା ବରିଷ୍ଠ ପତ୍ରକାର ସୁଜାତ୍ ବୁଖାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଶ୍ରୀନଗରରେ ‘ରାଇଜିଂ କାଶ୍ମୀର’ର କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୫୦ ବର୍ଷୀୟ ବୁଖାରୀ ତାଙ୍କ ଅଫିସରୁ ବାହାରି ଇଫତାର ପାର୍ଟିରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ତାଙ୍କର ଜଣେ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡରେ ଆଉ ଜଣେ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି ।