ବଡଦାଣ୍ଡରେ ହିଂସାକାଣ୍ଡ ପରେ ସାମନାକୁ ଆସିଲା ଅଭାବନୀୟ ଦୃଶ୍ୟ : କାର୍ଯ୍ୟାଳୟରେ ଥିବା ବସ୍ତା ବସ୍ତା ଚାଉଳ, ଟଙ୍କା ଲୁଟ କରିନେଲେ ଦୁର୍ବୃତ୍ତ

33

କନକ ବ୍ୟୁରୋ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ହିଂସା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ ହେଉଥିବା ଦୃଶ୍ୟ  କ୍ୟାମେରାରେ କଏଦ ହୋଇଛି । କାର୍ଯ୍ୟାଳୟରେ ଥିବା ବସ୍ତା ବସ୍ତା ଚାଉଳ, ଟଙ୍କା ଲୁଟ କରୁନେଉଛନ୍ତି ଦୁର୍ବୃତ୍ତ । କାର୍ଯ୍ୟାଳୟରେ ଥିବା ବିିଭିନ୍ନ ଆସବାବପତ୍ର ମଧ୍ୟ ଦୁର୍ବୃତ୍ତ ନେଇଯାଉଥିବାର ଦୃଶ୍ୟ କଏଦ ହୋଇଛି ।

ସୂଚନାଯୋଗ୍ୟ ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନକାରୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ବ୍ୟାରିକେଡ ଭାଙ୍ଗିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଓ ପୋଡାଜଳା କରିଛନ୍ତି ଆନ୍ଦୋଳନକାରୀ । ବଳଗଣ୍ଡି ଛକରେ ଥିବା ଟ୍ରାଫିକ ପୋଷ୍ଟରେ ନିଆଁ ଲଗାଇଦେବା ସହ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି । ଏପରିକି ଆକ୍ରମଣରୁ ବାଦ ପଡିନାହିଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ବଳଗଣ୍ଡି ଛକ ଓ ମାର୍କେଟ ଛକରେ ଥିବା ଟ୍ରାଫିକ ପୋଷ୍ଟ ମଧ୍ୟ ଆନ୍ଦୋଳନକାରୀ ପୋଡିଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଛି । ଲୁହବୁହା ଗ୍ୟାସ ଓ ରବର ଗୁଳି ମାଡ ମଧ୍ୟ କରାଯାଇଛି । ।

ପୁରୀ ଟାଉନ ଥାନାରୁ ସିଂହଦ୍ୱାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଆଜି ଭକ୍ତ ମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟଦ୍ୱାର ସମେତ ବିଭିନ୍ନ ଦ୍ୱାରରେ ଧସେଇ ପଶିଥିଲେ । ୨ଟି ସ୍କାନର ମେସିନ, ୪ଟି ମେଟାଲ ଡିଟେକ୍ଟର ଭାଙ୍ଗିବା ସହ ଚାରିଦ୍ୱାରରେ ଲାଗିଥିବା ହୋର୍ଡିଂକୁ ଚିରି ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତାଷ୍ଟାଣ୍ଡକୁ ଭାଙ୍ଗିଦେଇଛନ୍ତି । ସେପଟେ ଧାଡି ଦର୍ଶନକୁ ବିରୋଧ ସହ ୯ ଦଫା ଦାବିରେ ପୁରୀରେ ଆଜି ଶ୍ରୀଜଗନ୍ନାଥ ସେନା ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ଏହାକୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ସମର୍ଥନ କରଛନ୍ତିି । ଫଳରେ ପୁରୀ ଏକପ୍ରକାର ଠପ୍ ହୋଇଯାଇଛି । ଦୋକାନବଜାର ବନ୍ଦ ରହିଛି ।

ତେବେ ଏନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ଧାଡି ଦର୍ଶନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଲ । ଯିଏ ବିଭ୍ରାଟ କରୁଛି ତାଙ୍କୁ ହିଁ ଦାୟିତ୍ୱ ଦିଆଯାଉ । ସେବାୟତ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ପ୍ରଶାସନ ନିଷ୍ପତି ନେଉ ବୋଲି ବିଜୟ ମହାପାତ୍ର କହିଛନ୍ତି । ବିଶ୍ୱ ଦରବାରରେ ଜଗନ୍ନାଥ ସଂସ୍କୃତି ନିନ୍ଦିତ ହେଉଛି । ଲୋକଙ୍କ ମନରେ ଯେଉଁ ଅସନ୍ତୋଷ ଥିଲା ତାହାର ପରିଣତି ଏହା ବୋଲି ସେ କହିଛନ୍ତି ।