ସେବାୟତଙ୍କୁ ମିଳିବ ସ୍ୱତନ୍ତ୍ର ମୋବାଇଲ୍ ! ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

25

କନକ ବ୍ୟୁରୋ: ଶ୍ରୀମନ୍ଦିର ବେଢାକୁ ସେବାୟତଙ୍କ ମୋବାଇଲ୍ ଫୋନ୍ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଏ ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର (ବିନା କ୍ୟାମେରା) ମୋବାଇଲ ପ୍ରଦାନ ପାଇଁ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଉପରେ ଗତକାଲି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୋହର ଲାଗିଛି । ନିଯୋଗ କାର୍ଯ୍ୟରତ ସେବାୟତଙ୍କ ତାଲିକା ପ୍ରଦାନ କରିବା ପରେ ତୁରନ୍ତ ସେମାନଙ୍କୁ ଏହି ମୋବାଇଲ୍ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଉଠି ସୋସିଆଲ ମିଡିଆରେ ଭାଇରାଲ ହେବା ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା । ମୋବାଇଲ କଟକଣା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ସେବାୟତ, ସହଯୋଗୀ ଓ କର୍ମଚାରୀମାନେ ଭିତରକୁ ମୋବାଇଲ ନେଉଛନ୍ତି । ଏଣୁ ସେମାନଙ୍କୁ ସ୍ୱତନ୍ତ୍ର (ବିନା କ୍ୟାମେରା) ମୋବାଇଲ ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି । ଜିଲ୍ଲାପାଳ ଏହାକୁ ବ୍ୟବସ୍ଥିତ କରିବା ଲାଗି ଦାୟିତ୍ୱ ଦିଆଯାଇଛି । ସମସ୍ତ ନିଯୋଗ ସେମାନଙ୍କର ସଦସ୍ୟ ବା ଯେଉଁମାନେ ମୋବାଇଲ ନେବାକୁ ଚାହୁଁଛନ୍ତି ତାହାର ତାଲିକା ପ୍ରଦାନ କରିବେ । ଏହି ତାଲିକା ମୁତାବକ ମୋବାଇଲ ଯୋଗାଇ ଦିଆଯିବ। ମୋବାଇଲରେ ସିମକାର୍ଡ଼ ମଧ୍ୟ ପ୍ରଦାନ କରାଯିବ। ଏଥିରେ ଶ୍ରୀମନ୍ଦିର ପ୍ରଶାସନର ଲୋଗୋ ରହିବ। ଏହା ପରଠାରୁ କେହି ଅନ୍ୟ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଯଥାଶୀଘ୍ର ସେବାୟତ ଓ ସହଯୋଗୀମାନଙ୍କର ତାଲିକା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକା ମିଳିଲେ ତୁରନ୍ତ ମୋବାଇଲ୍ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି ।

ସେହିଭଳି ନାଟମଣ୍ଡପ ମରାମତି ନେଇ ଆଲୋଚନା ହୋଇଛି । ଜଗମୋହନ ଓ ବେହରଣ ଦ୍ଵାର ମରାମତି ଚାଲିଥିବାରୁ ନାଟମଣ୍ଡପକୁ ଏବେ ମରାମତି କରାଗଲେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ଏକାଠି ମରାମତି ଚାଲିଲେ ଭକ୍ତଙ୍କୁ ଦର୍ଶନ ସମସ୍ୟା ହେବ ବୋଲି ଅନୁମାନ କରାଯାଉଛି। ଏଣୁ ଏହି ମରାମତି ସରିଲେ ନାଟମଣ୍ଡପ କାର୍ୟ୍ୟ ଆରମ୍ଭ କରିବା ଲାଗି ଅଧିକାଂଶ ମତ ଦେଇଥିଲେ। ତେବେ ଏ ଯାବତ୍ ଏଏସଆଇ ନାଟମଣ୍ଡପ ମରାମତି ବାବଦରେ ଡ୍ରଇଁ ଡିଜାଇନ୍ ଉପସ୍ଥାପନ କରିନଥିବାରୁ ଏହା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ ।