ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ! ଅଣହିନ୍ଦୁ ପ୍ରବେଶକୁ ସେବାୟତଙ୍କ କଡା ବିରୋଧ ।

32

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗକୁ ସେବାୟତ ବିରୋଧ କରିଛନ୍ତି । ଏନେଇ ନବୀନ ନିବାସରେ ଶ୍ରୀମନ୍ଦିର ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ କହିଛନ୍ତି ସିଂହାରୀ ନିଯୋଗ ସଭାପତି ରାମଚନ୍ଦ୍ର ସିହାଂରୀ । ଏହାସହ ସୁପ୍ରିମକୋର୍ଟ ପୂର୍ବରୁ ବଂଶାନୁକ୍ରମିକ ସେବାୟତ ପ୍ରଥା ଉଚ୍ଛେଦ ନେଇ ମଧ୍ୟ ଆଲୋଚନା ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ସିଂହାରୀ ନିଯୋଗ ସଭାପତି । କେବଳ ଏତିକି ନୁହେଁ ସେବାୟତଙ୍କ ପାଇଁ ୪ରୁ ୫ଟି ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଛୁ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ବିଚାରବିମର୍ଶ କରିବେ ବୋଲି କହିଛନ୍ତି । ଏନେଇ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଷ୍ଟିୟରିଂ କମିଟି ସବୁ ପକ୍ଷରେ ମତାମତ ନେବା ପାଇଁ ଅନୁରୋଧ କରିଛୁ । ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନିଆଯିବା ସହ ଗଜପତି ଓ ସେବାୟତଙ୍କର ବି ମତାମତ ନିଆଯିବ । ଅମିକସକ୍ୟୁରି ରଥଯାତ୍ରାରେ ଆସିବାକୁ ଅନୁରୋଧ କରିବି । ଯାହାଦ୍ୱାରା ରଥଯାତ୍ରାରେ ଜଗନ୍ନାଥ ପରମ୍ପରା ବିଷୟରେ ଜାଣିପାରିବେ ବୋଲି ସାଂସଦ ପିନାକୀ କହିଛନ୍ତି ।

ପୁରୀରୁ ଆସିଥିବା ସେବାୟତଙ୍କ ୨୨ ଜଣିଆ ପ୍ରତିନିଧିଦଳ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଆଲୋଚନା ବୈଠକରେ ସାଂସଦ ପିନାକୀ ମିଶ୍ର ଏବଂ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଉପସ୍ଥିତଥିଲେ । ସେବାୟତଙ୍କ ପକ୍ଷରୁ ସାଂସଦ ପିନାକୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇ ଅସନ୍ତୋଷଥିବା ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସବିଶେଷ ଅଲୋଚନା କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

ବିଶେଷ କରି ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରି ପାରିିବେ କି ନାହିଁ, ବଂଶାନୁକ୍ରମିକ ସେବାୟତ ପରମ୍ପରା ବନ୍ଦ ହେବ କି ନାହିଁ, ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ପରେ ଉଠୁଥିବା ସମସ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଭେଟିଛନ୍ତି ୨୨ଜଣିଆ ଛତିଶା ନିଯୋଗ ସେବାୟତ । ମୁଖ୍ୟତଃ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ବିରୋଧ କରିଥିବା ସ୍ପଷ୍ଟ କରିଛନ୍ତି ସିଂହାରୀ ନିଯୋଗ ସଭାପତି । ଧର୍ମକୁ ନେଇ ବିବାଦ ହେବା କେବେ ଗ୍ରହଣୀୟ ନୁହେଁ । ବଂଶାନୁକ୍ରମିକ ସେବାୟତ ପ୍ରଥା ଉଚ୍ଛେଦ କରିବା ପାଇଁ ସୁପ୍ରିମକୋର୍ଟ କେବଳ ପ୍ରସ୍ତାବ ଦେଇଛନ୍ତି । ସେବାୟତମାନେ ତାଙ୍କ ତରଫରୁ ସୁପ୍ରିମକୋର୍ଟରେ ପକ୍ଷ ରଖିବେ ବୋଲି କହିଛନ୍ତି ସିଂହାରୀ ନିଯୋଗ ସଭାପତି ।