ସେବାୟତଙ୍କୁ ସାତଖୁନ୍ ମାଫ୍ : କାହିଁକି ନରମ ଶ୍ରୀମନ୍ଦିର ପ୍ରଶାସକ

27

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : କାଳିଆ ପ୍ରେମରେ ବିଭୋର ହୋଇ ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟ । ଭାବବିହ୍ୱଳ ହୋଇ ଶରଧାବାଲିରେ ରଥ ଉପରକୁ ଚଢିଗଲେ । ଗୋଟିଏ ରଥରେ ଠାକୁରଙ୍କୁ ଦର୍ଶନ କଲେ ଆଉ ଦ୍ୱିତୀୟ ରଥକୁ ଚଢିବା ବେଳେ ପୁଲିସ ହାତରେ ଧରା ପଡିଲେ । ବିଧି ବ୍ୟବସ୍ଥାର କଥା କହୁଥିବା ପ୍ରଶାସନର ନିର୍ଦ୍ଦେଶରେ ପୁଲିସ ଗିରଫ କରି ନେଲା ଏହି ପ୍ରବାସୀ ଭାରତୀୟଙ୍କୁ । ଶରଧାବାଲି ଓ ସିଂହଦ୍ୱାର । ଦୁଇ ସେବାୟତ ନିଜ ନିଜ ଝିଅଙ୍କୁ ରଥ ଉପରକୁ ନେଇଛନ୍ତି । ହେଲେ ପ୍ରଶାସନ କିନ୍ତୁ ନୀରବ । ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି , ସିସିଟିଭି ଫୁଟେଜ୍ ଭାଇରାଲ୍ ହେଉଛି । ହେଲେ ବ୍ୟବସ୍ଥାବଳୀର କଥା କହୁଥିବା ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ସେବାୟତଙ୍କୁ ପଦେ କଥା କହି ପାରୁନି । କାହିଁକି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦୁଇଟି ନିୟମ । ଶ୍ରୀମନ୍ଦିର ପ୍ରଶାସକ କଣ ସେବାୟତଙ୍କୁ ଡରୁଛନ୍ତି କି ?

ସେବାୟତଙ୍କୁ ସାତଖୁନ୍ ମାଫ୍ । କ୍ଷମାକୁ ଆୟୁଧ କରି ରଥଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା କଣ ମୁଖ୍ୟ ପ୍ରଶାସକଙ୍କ ଅଲିଖିତ ଷ୍ଟ୍ରାଟେକି କି ? ବ୍ରହ୍ମ ପରିବର୍ତନ ବେଳେ ବିଭ୍ରାଟକାରୀ ସେବାୟତଙ୍କ ଉପରୁ ପ୍ରଥମେ ନିଲମ୍ବିତ ଆଦେଶ ଉଠାଇଲେ । ଚଳିତ ବର୍ଷ ସ୍ନାନଯାତ୍ରା ସମୟରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଦଇତାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହାସ ଜୁଟାଇ ପାରିଲେନି । ଏବେ ଦୁଇଦୁଇ ଜଣ ସେବାୟତ ପ୍ରଶାସନର ନିୟମକୁ ପରିହାସ କରି ରଥ ଉପରକୁ ନିଜ ଝିଅଙ୍କୁ ନେଲେ ।

ହେଲେ କାହିଁକି ହାତବାନ୍ଧି ବସିଛନ୍ତି ଏହି ବରିଷ୍ଠ ପ୍ରଶାସକ । ସାମ୍ବାଦିକଙ୍କ ଏ ପ୍ରଶ୍ନର ଉତ୍ତର ଦେବା ବେଳେ ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟ ପ୍ରଶାସକ। ରଥ ଉପରେ ମହାପ୍ରଭୁଙ୍କୁ ସ୍ପର୍ଶ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ରହିଛି । ତେବେ ବ୍ୟବସ୍ଥାବଳୀ ପାଳନ କରିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଟାଳଟୁଳ ନୀତି ପାଳନ କରୁନି।