ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ ବା ଆଟିକା ଭୋଗ ! ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଶ୍ରୀମନ୍ଦିର ବଜେଟ

65

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ପାଇଁ ଆର୍ଥିକ ବର୍ଷ ୨୦୧୮-୧୯ରେ ୧୬୯ କୋଟି ୫୦ ଲକ୍ଷ ଟଙ୍କା ବଜେଟ ଉପସ୍ଥାପନ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଜେଟ୍ ଅଟକଳ କରାଯାଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବୈଠକରେ ସେବାୟତ ଗୁରୁକୁଳ ଓ ବାସଗୃହ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଛି। ଶ୍ରୀମନ୍ଦିରର ଚଳିତ ଆର୍ଥିକ ବର୍ଷର ଅନୁମୋଦିତ ହୋଇଛି ବଜେଟ । ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ବଜେଟକୁ ଅନୁମୋଦନ ମିଳିଛି । ୧୬୯ କୋଟି ୫୦ ଲକ୍ଷ ୩୪ ହଜାର ୯୨୮ ଟଙ୍କାର ବଜେଟ କରାଯାଇଥିବା ବେଳେ ଏହା ଏକ ବଳକା ବଜେଟ କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନର ଆୟବ୍ୟୟ ହିସାବ ପାଇଁ କର୍ପୋରେଟ ଅଡିଟ , ଷ୍ଟାଣ୍ଡାର୍ଡ ଆକାଉଣ୍ଟିଂ ଓ କ୍ୟାପିଟାଲ ରେଭେନ୍ୟୁର କରାଯାଇଛି ବ୍ୟବସ୍ଥା । ପୁଣି ସେବକଙ୍କ ଗୃହ ନିର୍ମାଣ ଯୋଜନା ପାଇଁ ୫ କୋଟି ଓ ଶ୍ରୀମନ୍ଦିରର ଗୁରୁକୁଳମ ପାଇଁ ୫ କୋଟି ଟଙ୍କାର କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଗବେଷଣା ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଭକ୍ତଙ୍କ ଠାରୁ ସ୍ୱତନ୍ତ୍ର ଦାନ ଅର୍ଥରେ ମନ୍ଦିରର ବିକାଶ ପାଇଁ ୨୦ରୁ ୨୫ କୋଟି ଟଙ୍କାର ଅନୁଦାନ ଲକ୍ଷ୍ୟ ରଖାଯାଇଛି । ତାହାକୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଖର୍ଚ କରାଯିବ ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣା ମହାପ୍ରସାଦ ବା ଆଟିକା ଭୋଗ ପାଇଁ ବ୍ୟବସ୍ଥା କରାଯାଇଛି । ଏବେ ତାହା ୨ଟି ଆଟିକା ଭୋଗ ଦିଆଯାଉଥିବା ବେଳେ ଏହାକୁ ବ୍ୟାପକ କରାଯିବା ସହ ମନ୍ଦିରକୁ ଆସୁଥିବା ସମସ୍ତ ଦର୍ଶନାର୍ଥୀମାନେ ପ୍ରସାଦ ପାଇବେ । ସେଥିପାଇଁ ଦେଢ କୋଟି ଟଙ୍କାର ବଜେଟ କରାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିରରେ ୩୦ ମିନିଟର ରହିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ପୁଣି ସେମାନଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ଭିତ୍ତିଭୁମିର ବିକାଶ ପାଇଁ ଖର୍ଚ କରାଯିବ ୨୦ ଲକ୍ଷ ଟଙ୍କା । ପୁଣି ଜଗମୋହନରେ ଏୟାର କଣ୍ଡିସନିଂ ଓ ଆନନ୍ଦ ବଜାରରେ ଉନ୍ନତିକରଣ ପାଇଁ ଅନେକ ଭକ୍ତମାନେ ଦାନ ଦେବାପାଇଁ ପ୍ରସ୍ତୁତ ଥିବା ବେଳେ ତାହା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।