ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାବେଳେ ଅଘଟଣ ! ବାରମ୍ବାର ଛିଡିଲା ରଥ ଦଉଡି,ରଥଟଣା ବନ୍ଦକଲା ମନ୍ଦିର ପ୍ରଶାସନ

23

କନକ ବ୍ୟୁରୋ : ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ଘଟିଛି ବିଭ୍ରାଟ । ବାରମ୍ବାର ରଥ ଦଉଡି ଛିଣ୍ଡିବା ପରେ ରଥଟଣାକୁ ଅଧାରେ ରଖିଲା ମନ୍ଦିର ପ୍ରଶାସନ । ରଥଟଣା ଆରମ୍ଭ ହେବା ପରେ ତିନି ତିନି ଥର ରଥ ଦଉଡି ଛିଣ୍ଡିଲା । ଫଳରେ ଅଧାରେ ରଥଟଣାକୁ ଅଟକାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏଭଳି କାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ସେବାୟତ ଓ ଭକ୍ତ । ଆସନ୍ତାକାଲି ଦିନ ୨ଟାରେ ପୁଣି ଥରେ ରଥ ଟଣାହେବ ବୋଲି ପ୍ରଶାସନ ଘୋଷଣା କରିଛି । ସେପଟେ ଆସନ୍ତାକାଲି ଶ୍ରୀରାମନବମୀ ଥିବା ବେଳେ ଶ୍ରୀଜିଉ ରାମେଶ୍ୱର ମନ୍ଦିରରେ ତାଙ୍କର କେତେକ ନୀତି ରହିଛି । ତାହା ପୂରଣ ହେବ କି ନାହିଁ ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି ସେବାୟତ ।

ସୂଚନାଯୋଗ୍ୟ ମାଉସୀ ମା’ ମନ୍ଦିର ଅଭିମୁଖେ ଯାଉଥିବା ରଥର ଦଉଡ଼ି ଶନିବାର ବାରମ୍ବାର ଛିଣ୍ଡିବାରୁ ପ୍ରଶାସନ ପକ୍ଷରୁ ଶେଷରେ ରଥଟଣା କାମ ବନ୍ଦ କରି ଦିଆଯାଇଛି । ନୂଆ ଦଉଡ଼ି ଆସିଲେ ରବିବାର ପୁଣି ଥରେ ରଥ ଟଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାୟ ଗୋଟିଏ ମିଟର ରଥ ଗଡ଼ିବା ପରେ ଦଉଡ଼ି ଛିଣ୍ଡ ଯାଇଥିଲା । ଅଶୋକାଷ୍ଟମୀ ଅବସରରେ ପ୍ରତିବର୍ଷ ହୋଇ ଆସୁଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖାଯାଇଥାଏ । ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥାଏ । ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ଅବସରରେ ଆଜି ଅପରାହ୍ନରେ ରଥ ଛେରା ପହଁରା କରାଯାଇଥିଲା । ୨ଟା ୩୦ରେ ମହାପ୍ରଭୁଙ୍କୁ ବିରାଜମାନ କରାଯିବା ପରେ ରଥ ଟଣା ଯାଇଥିଲା ।