ଆଜି ୧୨ ଘଂଟିଆ ପୁରୀ ବନ୍ଦ । ଧାଡି ଦର୍ଶନ ବ୍ୟବସ୍ଥା, ସାମ୍ବାଦିକ ଓ ଶ୍ରଦ୍ଧାଳୁଙ୍କୁ ପୁଲିସର ଲାଠିମାଡ ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନାର ବନ୍ଦ ଡାକରା

33

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି। ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ପୁଲିସ ଶ୍ରୀଜଗନ୍ନାଥ ସେନାର ଆବାହାକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଅଟକ ରଖିଛି। ବିଶେଷ କରି ବନ୍ଦ ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିବା ଘଟଣାରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବନ୍ଦ ଯୋଗୁଁ ପୁରୀ ସହରର ଦୋକାନବଜାର ବନ୍ଦ ରହିଛି।

ଶ୍ରୀଜୀଉମାନଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ଏଥିରେ ଭକ୍ତମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଧାଡ଼ିଦର୍ଶନ ବ୍ୟବସ୍ଥା ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ବନ୍ଦ ଡାକରା ଦିଆଯାଇଛି। ସାମ୍ବାଦିକଙ୍କୁ ମାଡ଼, ରତ୍ନଭଣ୍ଡାର ଚାବି ହଜିବା ଓ ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ର ଆବାହକ ଶ୍ରୀ ପଟ୍ଟନାୟକ କହିଥିଳେ। ତେବେ ଆଜି ପୁଲିସ ସକାଳୁ ଶ୍ରୀ ପଟ୍ଟନାୟକଙ୍କୁ ଗିରଫ କରି ନେଇଥିଲେ ମଧ୍ୟ ପୁରୀରେ ବନ୍ଦ ପାଳିତ ହେଉଛି।

ପୁରୀ ବନ୍ଦ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ୮ ଦଫା ଦାବି ସମ୍ବଳିତ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି। ଧାଡି ଦର୍ଶନକୁ ବିରୋଧ, ସାମ୍ବାଦିକ ଓ ନିରୀହ ଜନତାଙ୍କୁ ପୁଲିସର ଅମାନୁଷିକ ଆକ୍ରମଣ, ଶ୍ରୀମନ୍ଦିରରେ ଭକ୍ତ-ବ୍ରାହ୍ମଣ-ସେବକମାରଣ ନୀତିର ପ୍ରତିବାଦ, ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନିନ କରିବା, ସିଦ୍ଧ ମହାବୀର ରେଳ ଫାଟକଠାରେ ଓଭରବ୍ରିଜ ନିର୍ମାଣ, ଦାଦାବଟି, ପିସି କାରବାର ବନ୍ଦ, ରତ୍ନଭଣ୍ଡାର ଖୋଲିଆ ଆଦି ଦାବି କରାଯାଇଛି।