୩୧ ବର୍ଷରେ ପାଦଦେଲେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ! ଅଭିନୟ ସମେତ ନିଜ ଅନ୍ୟ ପ୍ରତିଭା ପାଇଁ ବଲିଉଡରେ ଲୋକପ୍ରିୟ ଶ୍ରଦ୍ଧା

138

ବଲିଉଡର ଆଶିକି ଗର୍ଲ ଭାବେ ପରିଚିତ ଶ୍ରଦ୍ଧା କପୁର ଆଜି ୩୧ ବର୍ଷରେ ପାଦ ରଖିଛନ୍ତି । ୩ ମାର୍ଚ୍ଚ ୧୯୮୮ରେ ତାଙ୍କର ଜନ୍ମ ହୋଇଥିଲା । ଚଳଚ୍ଚିତ୍ର ଆଶିକି-ଟୁ ରୁ ନିଜର ଆକ୍ଟିଂ କ୍ୟାରିଅର୍ ଆରମ୍ଭ କରିଥିବା ଏହି ସୁନ୍ଦରୀ ଜଣଙ୍କ ଖୁବ୍ କମ୍ ସମୟ ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି । ଯୁ ପିଢୀର ଯେତେ ସବୁ ନାୟକ, ସେ ଆଦିତ୍ୟ ରୟ କପୁର ହୁଅନ୍ତୁ ଅବା ସିଦ୍ଧାର୍ଥ ମଲହୋତ୍ରା, ସାହିଦ୍ କପୁର ହୁଅନ୍ତୁ କି ବରୁଣ ଧୱନ ସମସ୍ତଙ୍କ ସହ ଶ୍ରଦ୍ଧାଙ୍କ ପେୟାରିଂ ବେସ୍ ଆକର୍ଷଣୀୟ ଲାଗେ । ଅଭିନୟ ଠାରୁ ଆରମ୍ଭ କରି ଡ୍ୟାନ୍ସ ତଥା ଗାୟନ ଶୈଳୀ ମଧ୍ୟ ରହିଛି ଶ୍ରଦ୍ଧାଙ୍କ ପାଖରେ । ସେଥିପାଇଁ ପ୍ରଶଂସକଙ୍କ ପ୍ରିୟ ହୋଇ ପାରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ପିତା ଶକ୍ତି କପୁର ଜଣେ ଲୋକପ୍ରିୟ ବଲିଉଡ୍ ତାରକା ରହିଥିବାବେଳେ ମା ଶିବାଙ୍ଗି କୋହ୍ଲାପୁରୀ ଜଣେ ଥିଏଟର୍ ଆଟିଷ୍ଟ । ଏସବୁ କଥା ତ ଶ୍ରଦ୍ଧାଙ୍କ ବିଷୟରେ ପ୍ରାୟ ସଭିଁଙ୍କୁ ଜଣା ଥିବ । ହେଲେ ଶ୍ରଦ୍ଧାଙ୍କୁ ନେଇ କିଛି ଏପରି କଥା ଅଛି ଯାହା ତାଙ୍କ ଫ୍ୟାନ୍ ମାନେ ଜାଣି ନଥିବେ ।

ପ୍ରାୟ ସଭିଏଁ ଜାଣିଥିବେ ଯେ, ଶ୍ରଦ୍ଧା ଆଶିକି–ଟୁ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ଆରୋହି କେଶବ ଶିରକେ ଚରିତ୍ର କିଏ ବା ଭୁଲି ପାରିବ । ହେଲେ ଏକଥା ଖୁବ କମ୍ ଲୋକ ହିଁ ଜାଣିଥିବେ, ଯେ ଶ୍ରଦ୍ଧାଙ୍କ ପ୍ରଥମ ଫିଲ୍ମ ଆଶିକି –ଟୁ ନୁହେଁ । ୨୦୧୦ ମସିହାର ଅମିତାଭ୍ ବଚ୍ଚନଙ୍କ ଅଭିନୀତ ଫିଲ୍ମ ତିନ୍ ପତ୍ତିରୁ ଶ୍ରଦ୍ଧା ନିଜର ଅଭିନୟ ଆରମ୍ଭ କରିଛନ୍ତି ।

ଶ୍ରଦ୍ଧାଙ୍କ ଅଭିନୟ ଯେପରି ଦମଦାର୍, ତାଙ୍କର ଡ୍ୟାନ୍ସ ସେହିପରି ଆକର୍ଷଣୀୟ । ଖାଲି ସେତିକି ହି ନୁହେଁ ଶ୍ରଦ୍ଧା ଜଣେ ଭଲ ଗାୟିକା ମଧ୍ୟ । ଫିଲ୍ମ ଏକ ଭିଲିଏନ୍, ହାଇଦର, ରକଅନ୍ –ଟୁ ଆଦି ଚଳଚ୍ଚିତ୍ରରେ ତାଙ୍କର ଗାୟିକି ଶୁଣିବାକୁ ମିଳିଛି । ଏସବୁ ତ ହେଲା ଶ୍ରଦ୍ଧାଙ୍କ ଅନସ୍କ୍ରିନ୍ ଦକ୍ଷତା । ତେବେ ଅଭିନୟରେ ନିଜ ପାଦ ରଖିବା ପୂର୍ବରୁ ଶ୍ରଦ୍ଧା ଜଣେ ମେଧାବୀ ଛାତ୍ର ରହିଛନ୍ତି । ବୋଷ୍ଟନ୍ ୟୁନିଭର୍ସିଟିରେ ପାଠ ପଢିବା ସମୟରେ ସେ ୧୨ ଗ୍ରେଡରେ ଟପର୍ ରହିଛନ୍ତି ।

ବହୁତ ସାଧାସିଧା ଦେଖା ଯାଉଥିବା ଜଣେ ଦକ୍ଷ ତଥା ପ୍ରଶିକ୍ଷିତ ସ୍କୁବା ଡାଇବର୍ । ପରଦା ଉପରେ ରୋମାଂଟିକ ଅଭିନୟ କରୁଥିବା ଅଭିନେତ୍ରୀ ଶ୍ରଦ୍ଧା ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ବହୁତ ରୋମାଂଟିକ୍ । ତାଙ୍କର ପ୍ରିୟ ଅଭିନେତା ହେଉଛନ୍ତି ହ୍ରିତିକ୍ ରୋସନ୍, ଆଉ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ।

ଶ୍ରଦ୍ଧା ଦେଖିବାକୁ ବହୁତ ଆକର୍ଷଣୀୟ ଓ ସୁନ୍ଦର । ହେଲେ ସେ ଜମାରୁ ବି ଶରୀର ପ୍ରତି କନସିଅସ୍ ନୁହନ୍ତି । ଖାଇବାକୁ ଖୁବ୍ ଭଲ ପାଆନ୍ତି । ଆଉ ଗୋଟିଏ କପ୍ ଚାହା ତାଙ୍କୁ ସବୁବେଳେ ଫ୍ରେସ୍ ରଖେ ବୋଲି ଶ୍ରଦ୍ଧା କୁହନ୍ତି ।  ଅଭିନେତ୍ରୀ ଶ୍ରଦ୍ଧାଙ୍କର ଗୋଟିଏ ଦୁର୍ବଳତା ମଧ୍ୟ ଅଛି । ଶ୍ରଦ୍ଧା ଘଡଘଡି ଓ ବିଜୁଳିକୁ ଡରନ୍ତି ।

ସୂଚନା ଅନୁସାରେ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କୁ ନେଇ ବ୍ୟାଡମିଣ୍ଟନ ଚମ୍ପିଅନ ସାଇନା ନେହଓ୍ଵାଲଙ୍କ ଜୀବନୀ ଆଧାରିତ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ଯେଉଁଥିରେ ସାଇନା ନେହଓ୍ଵାଲ ଚରିତ୍ର ନିଭାଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ଏହା ଛଡ଼ା ସେ ପ୍ରଭାସଙ୍କ ବିପକ୍ଷରେ ‘ସାହୋ’ରେ ବି ନଜର ଆସିବେ ।