୫ ରାଜ୍ୟରେ ବଡ଼ ଲଢ଼େଇ, ଥଣ୍ଡା ପଡ଼ିବ କି ଓଡ଼ିଶା ?

41

କନକ ବ୍ୟୁରୋ: ଗତକାଲି ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ଓଡ଼ିଶାରେ ଆଗୁଆ ନିର୍ବାଚନ ନହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କିନ୍ତୁ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଶାସକ ଓ ବିରୋଧୀ ପ୍ରସ୍ତୁତ ଥିବା ନେଇ ଦମ୍ଭୋକ୍ତି ବାଢୁଥିଲେ । ତେବେ ଗତକାଲି ଜାତୀୟ ନିର୍ବାଚନ ଆୟୋଗ ମୁଖ୍ୟ ଓ.ପି ରାୱତଙ୍କ ଘୋଷଣା ପରେ ରାଜ୍ୟ ରାଜନୀତି ଟିକେ ଥଣ୍ଡା ପଡ଼ିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆସନ୍ତା ଡିସେମ୍ବର ୧୧ ତାରିଖରେ ଯେବେ ୫ଟି ରାଜ୍ୟର ଫଳାଫଳ ପ୍ରକାଶ ପାଇବ ତାହା ହିଁ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଆଗୁଆ ନିର୍ବାଚନ ହେବା ନେଇ ଯେଉଁଭଳି ଭାବେ ଶାସକ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିଲା ସେଥିରେ ସାମୟିକ ବ୍ରେକ ଲାଗିଯାଇପାରେ । କାରଣ ହେବାକୁଥିବା ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ଯଦି ବିଜେପି ସପକ୍ଷରେ ଯାଏ ତେବେ ଓଡ଼ିଶାର ନିର୍ବାଚନୀ ହାୱା ବଦଳିଯିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।

ତେବେ ବର୍ତମାନ ସମୟରେ ସମସ୍ତ ରାଜନୈତିକ ଦଳ ଗୁଡିକ ରାଜସ୍ଥାନ, ଛିତଶଗଡ଼, ମଧ୍ୟପ୍ରଦେଶ,ତେଲେଙ୍ଗାନା ଓ ମିଜୋରାମ ନିର୍ବାଚନ ଫଳାଫଳକୁ ଚାତକ ପରି ଅନେଇ ବସିଛନ୍ତି । ସେପଟେ ବିଜେପିର ପୂର୍ବଭାରତକୁ ଦଖଲ କରିବାର ସ୍ୱପ୍ନ ଏହି ୫ଟି ରାଜ୍ୟର ଫଳାଫଳ ନିଶ୍ଚିତ ପ୍ରଭାବ ପକାଇବ ବୋଲି ରାଜନୀତି ସମୀକ୍ଷକମାନେ କହିଛନ୍ତି । ତେଣୁ ହେବାକୁଥିବା ୫ଟି ରାଜ୍ୟର ନିର୍ବାଚନ ପାଇଁ କେବଳ ବିଜେପି ନୁହେଁ ବରଂ କଂଗ୍ରେସ ମଧ୍ୟ ବିଜେପିକୁ ପୁରା ଟକ୍କର ଦେବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କିପରି ଭାବରେ ନିର୍ବାଚନରେ ଦଳ ବିଜୟ ହେବେ ସେନେଇ ନେତାମାନେ ସମସ୍ତ କଳବଳ କୌଶଳ ଲଗାଇଛନ୍ତି । ଏହାରି ମଧ୍ୟରେ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ଭୋଟରମାନଙ୍କୁ କିଭଳି ନିଜ ସପକ୍ଷରେ ଟାଣିବେସେଥିପାଇଁ ଦଳଗୁଡ଼ିକ ଯୋଜନା ଓ ରଣନୀତି ଆରମ୍ଭ କରିଦେଲେଣି। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ମାତ୍ରେ ହିଁ ବଳ କଷାକଷି ଆରମ୍ଭ ହୋଇଯାଇଛି। ବିଶେଷକରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ନିର୍ବାଚନକୁ ସେମି ଫାଇନାଲ ଭାବେ ବିବେଚିତ କରାଯାଉଛି। ଏଥିପାଇଁ ଦଳଗୁଡ଼ିକ ଜୋରଦାର ରଣନୀତି ସହ ମଇଦାନକୁ ଆସିବାକୁ ତୟାର ହେଉଛନ୍ତି।