ବଜାରରୁ ଉଭେଇ ଗଲାଣି ୨ ହଜାର ଟଙ୍କିଆ ନୋଟ୍ !

79

ଦେଶରେ ୨ ହଜାର ଟଙ୍କିଆ ନୋଟର ଅଭାବ ଦେଖାଦେଇଛି । ଏକଥା ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ସଂସ୍ଥା ଏବଂ ବ୍ୟାଙ୍କଗୁଡ଼ିକ କହିଛନ୍ତି । ବ୍ୟାଙ୍କଗୁଡ଼ିକ କହିଛନ୍ତି ଯେ ସର୍ବାଧିକ ମୂଲ୍ୟର ନୋଟ୍‌ ଭାବେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେବଳ ୫୦୦ ଟଙ୍କିଆ ନୋଟ୍‌ ପଠାଉଛି । ଦୁଇ ହଜାର ଟଙ୍କିଆ ସଂଖ୍ୟା ବହୁତ କମିଯାଇଛି । ବଜାରରୁ ଏହି ନୋଟକୁ ହଟାଇ ନେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଚର୍ଚ୍ଚା ହେଉଛି ।

ତେବେ ଏହି ଚର୍ଚ୍ଚା ଉପରେ ଆରବିଆଇ କିମ୍ବା ସରକାର କୌଣସି ମନ୍ତବ୍ୟ ଦେଇନାହାନ୍ତି । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆରବିଆଇ ପାଖରୁ କୌଣସି ନୂଆ ୨୦୦୦ ଟଙ୍କିଆ ମିଳୁନାହିଁ । ଯାହା କିଛି ଦୁଇ ହଜାର ଟଙ୍କିଆ ନୋଟ୍‌ ଆମ ପାଖକୁ ଆସୁଛି ତାହା ଲୋକମାନେ କାଉଣ୍ଟରରେ ଜମା କରୁଥିବା ଟଙ୍କା ହିସାବରେ ଆସୁଛି ।

ଏଟିଏମ୍‌ରେ କେତେ ରହୁଛି, କେତେ ଯାଉଛି
• ଗୋଟିଏ ଏଟିଏମରେ ଏବେ ଚାରି ପ୍ରକାର କ୍ୟାସେଟ୍‌ ରହୁଛି । କ୍ୟାସେଟ୍‌ ଗୁଡ଼ିକରେ ନୋଟ୍‌ ରହିଥାଏ ।

• ଗୋଟିଏ କ୍ୟାସେଟରେ ୧୦୦ ଟଙ୍କିଆ, ଅନ୍ୟ ଗୋଟିଏ କ୍ୟାସେଟରେ ୨୦୦୦ ଟଙ୍କିଆ ଏବଂ ବଳକା ୨ଟି କ୍ୟାସେଟରେ ୫୦୦ ଟଙ୍କିଆ ରହୁଛି ।

• ବିମୁଦ୍ରାକରଣ ପରେ ପ୍ରତି ଏଟିଏମ୍‌ରେ ୬୦ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ରଖାଯାଉଥିଲା। ଏବେ ୨୨ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍‌ ରଖାଯାଉଛି ।

• ବିମୁଦ୍ରାକରଣ ପରେ ଦେଶରେ ଥିବା ୯୨-୯୩% ଏଟିଏମରୁ ଟଙ୍କା ଉଠାଣ ଚାଲିଥିଲା । ଏବେ ତାହା ୯୦% ତଳକୁ ଖସିଯାଇଛି । ଅର୍ଥାତ ୯୦%ରୁ କମ୍‌ ଏଟିଏମକୁ ଲୋକମାନେ ବ୍ୟବହାର କରୁଛନ୍ତି ।

• ବିମୁଦ୍ରାକରଣ ପୂର୍ବରୁ ଦେଶରେ ୧୭ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା । ଏବେ ପ୍ରଚଳନରେ ଥିବା ଟଙ୍କା ପରିମାଣ ହେଉଛି ୧୪.୫ ଲକ୍ଷ ଟଙ୍କା ।

• ଦେଶରେ ପାଖାପାଖି ୨.୨ ଲକ୍ଷ ଏଟିଏମ୍‌ ରହିଛି । କେବଳ ଏସବିଆଇର ୫୮,୦୦୦ ଏଟିଏମ୍‌ ।

• ଏଟିଏମ୍‌ରେ ୨୫ ଲକ୍ଷ ଟଙ୍କାର ବିଭିନ୍ନ ନୋଟ୍‌ ଭର୍ତ୍ତି କଲେ ତାହା ଦୁଇ-ଚାରି ଦିନ ଭିତରେ ଫାଙ୍କା ହୋଇଯାଏ ।