ଏପଟେ ପିଆଜ କିଲୋ ୧୨୦, ସେପଟେ ସରକାରୀ ଆଦର୍ଶ ଖୁଚୁରା ବିକ୍ରୟ କେନ୍ଦ୍ରରେ ସରିଗଲା ପିଆଜ : କଟକରେ ଧାଡି ଲଗାଇଛନ୍ତି ପୁରୁଷ ଓ ମହିଳା, ହେଲେ ଖାଲି ହୋଇଯାଇଛି ଦୋକାନ 

556

କନକ ବ୍ୟୁରୋ : ଗୋଟିଏ ପଟେ ପିଆଜ କିଲୋ ୧୨୦ ଟପିଛି । ସେପଟେ କଟକରେ ଥିବା ସରକାରୀ ଆଦର୍ଶ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ ଶେଷ ହୋଇଯାଇଛି । ପିଆଜ ଦର ବୃଦ୍ଧି ହେବା ଦିନଠାରୁ ପିଆଜ କିଲୋ ପିଛା ୫୦ଟଙ୍କାରେ ବିକ୍ରି ହେଉଥିଲା । ଏବେ ପିଆଜ କିଲୋ ୧୨୦ ଟଙ୍କା ଛୁଇଁ ଥିବା ବେଳେ ସରକାରୀ ଆଦର୍ଶ ଖୁଚୁରା ବିକ୍ରୟ କେନ୍ଦ୍ରରେ ୮୦ଟଙ୍କାରେ ପିଆଜ ବିକ୍ରି ହେଉଥିଲା । ଫଳରେ ଲୋକମାନେ ପିଆଜ ନେବାକୁ ଲମ୍ବା ଲାଇନ ଲଗାଇଥିବା ବେଳେ ଏବେ ଖାଲି ହୋଇଯାଇଛି ସରକାରୀ ଦୋକାନ । ଲୋକଙ୍କୁ ୮୦ଟଙ୍କା ଦରରେ ପିଆଜ ଯୋଗାଇବା ପାଇଁ ଆବଶ୍ୟକ ପରିମାଣର ପିଆଜ ସରକାରୀ ଦୋକନରେ ମହଜୁଦ ନାହିଁ ।

ସୂଚନାଯୋଗ୍ୟ ପିଆଜ ଦରବୃଦ୍ଧିକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଆଜି କଟକ ଛତ୍ରବଜାରରେ ପିଆଜ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଟକର ମୁଖ୍ୟ ବ୍ୟବସାୟୀକ ପେଣ୍ଠସ୍ଥଳ ଭାବେ ପରିଚିତ ଛତ୍ରବଜାରରେ ପିଆଜ ଦର ବୃଦ୍ଧି ପରେ ଅନ୍ୟସ୍ଥାନମାନଙ୍କରେ ମଧ୍ୟ ପିଆଜ ଦର ବଢିବାର ସମ୍ଭାବନା ରହିଛି । କିଲେ ନେବା ଯାଗାରେ ଗ୍ରାହକମାନେ ଅଢେଇଶହ ଗ୍ରାମ କିମ୍ବା ତାଠାରୁ କମ ପିଆଜ କିଣିବାକୁ ପସନ୍ଦ କରୁଛନ୍ତି । ପିଆଜର ଏହି ଅହେତୁକ ଦରବୃଦ୍ଧି ଗତ କିଛି ଦିନ ଧରି ଲାଗି ରହିଛି । ପ୍ରଥମେ କିଲୋ ପିଛା ୮୦ ଟଙ୍କାକୁ ବୃ୍ଦ୍ଧି ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୧୦୦ ଏବଂ ଏବେ ୧୨୦ ଟଙ୍କାରେ ପହଂଚିଛି ପିଆଜ ।