ନିଆଁ ପରେ ଚେତିଲେ, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପର ପ୍ରକାଶ କଲା ଅଗ୍ନିଶମ ବିଭାଗ ! ଭୁବନେଶ୍ୱରର ସପିଂ ମଲରେ ରେଡ୍

16

କନକ ବ୍ୟୁରୋ :  ଅଗ୍ନିଶମ ନିରାପତ୍ତା ନଥାଇ ହଜାର ହଜାର ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ସପିଂ ମଲ୍ ମାଲିକଙ୍କୁ ଏହା ଥିଲା କନକ ନ୍ୟୁଜର ପ୍ରଶ୍ନ । ଏହି ଖବର ପ୍ରଭାବ ପରେ ନିଦ ଭାଙ୍ଗିଥିଲା ଅଗ୍ନିଶମ ବିଭାଗର । ଯଦି ନିଆଁ ଲାଗେ କିଭଳି ରହିଛି ନିଆଁ ଲିଭାଇବା ବ୍ୟବସ୍ଥା ତା’ର ଯାଂଚ କରିଛନ୍ତି ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଅଫିସର ଓ ତାଙ୍କ ଟିମ୍ । କେଉଁଠି ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି ହେଲେ ତାହା କାମ କରୁନି ତ ପୁଣି କେଉଁଠି ସାଇରନ୍ ବାଜିଲେ କାନକୁ ଶୁଭୁନି । ଏପରିକି ନିଆଁ ଲିଭାଇବା ପାଇଁ କର୍ମଚାରୀଙ୍କ ମଧ୍ୟରେ ମୌଳିକ ଜ୍ଞାନର ଅଭାବ । ଏ ନେଇ ମଲରେ ତ୍ରୁଟି ଥିବା କଥା ସ୍ୱୀକାର କରିଛନ୍ତି ମଲ୍ ଦାୟିତ୍ୱରେ ଥିବା ବ୍ୟକ୍ତି ।

କେବଳ ପାଲହାଇଟ୍ସ ନୁହେଁ ଭୁବନେଶ୍ୱରରେ ଥିବା ବଡ଼ ବଡ ୧୦ଟି ସପିଂମଲରେ ଏକକାଳୀନ ରେଡ୍ କରାଯାଇଛି । ଦୁଃଖର ବିଷୟ ମାତ୍ର ୨ଟି ମଲ୍, ଫାୟାର ସେଫଟି ସାର୍ଟିଫିକେଟ ପାଇଥିବା ବେଳେ, ଅନ୍ୟ ୮ଟି ମଲ୍ ଏନେଇ ଆବେଦନ ବି କରି ନାହାଁନ୍ତି । ଯେଉଁ ସବୁ ତ୍ରୁଟି ସାମନାକୁ ଆସିଛି ସେନେଇ ଆସନ୍ତା ୨ଦିନ ମଧ୍ୟରେ ମଲ ମାଲିକଙ୍କୁ ନୋଟିସ ଦିଆଯିବ । ଆଉ ନିର୍ଧାରିତ ସମୟ ସୁୁଦ୍ଧା ତ୍ରୁଟି ନସୁଧାରିଲେ ସପିଂମଲକୁ ସିଲ୍ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ନିର୍ଦ୍ଦେଶକ ।

କନକ ନ୍ୟୁଜ ଉଠାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ସହରବାସୀଙ୍କୁ ଆନ୍ଦୋଳିତ କରିଥିବା ବେଳେ ପ୍ରଥମ ଥର ପାଇଁ ବେଆଇନ୍ ସପିଂମଲଗୁଡିକୁ ନିଆଁ ଲାଗିବା ଆଗରୁ ସାବାଡ କରିବା ପାଇଁ, ରେଡ୍ କରିଛି ଅଗ୍ନିଶମ ବିଭାଗ ।